ମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଏବଂ କନକବର୍ଦ୍ଧନ, ପ୍ରଭାତୀ ହେବେ ଉପମୁଖ୍ୟମନ୍ତ୍ରୀ

0
90

ଭୁବନେଶ୍ୱର(ଜେଏନ୍ଏସ୍)୧୧।୬: ବହୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ମଙ୍ଗଳବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ମନୋନୀତ ହୋଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ଦଳର ବରିଷ୍ଠ ନେତା ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂଦେଓ ଏବଂ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ାଙ୍କୁ ଦଳ ମନୋନୀତ କରିଛି ଆସନ୍ତା ବୁଧବାର ଦିନ ହେବାକୁ ଥିବା  ଶପଥ ଗ୍ରହଣ ଉତ୍ସବରେ ଏମାନେ ଶପଥ ଗ୍ରହଣ କରିବେ। ଏନେଇ ଜନତା ମଇଦାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ପ୍ରକାଶ ଥାଉ କି ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ମଙ୍ଗଳବାର ଅପରାହ୍ଣ ୪:୩୦ ମିନିଟ ସମୟରେ ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ବିଧାୟକ ଦଳର ବୈଠକ ବସିଥିଲା । ବୈଠକରେ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ଭାବେ ମୋହନଙ୍କ ନାଁ ଚୟନ କରାଯାଇଥିଲା । ସୂଚନାଯୋଗ୍ୟ, ୨୦୨୪ ବିଧାନସଭା ନିର୍ବାଚନରେ ଭାଜପା ୭୮ ଆସନ ଜିତି ବହୁମତ ହାସଲ କରିଛି । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ରଙ୍କ ସହ ତୁଙ୍ଗ ନେତା ଉପସ୍ଥିତ ଥିଲେ। କନକବର୍ଦ୍ଧନ ପାଟଣାଗଡ଼ ନିର୍ବାଚନମଣ୍ଡଳୀରୁ ଏବଂ ପ୍ରଭାତୀ ନିମାପଡ଼ା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here