ଓଡିଶାରେ କଂଗ୍ରେସର ଅଧୋଗତି ପାଇଁ ଶରତ ଓ ନରସିଂହଙ୍କୁ ଦାୟୀ କଲେ ଆକବର ଖାନ୍

0
59

ବଲାଙ୍ଗିର (ଜେଏନ୍ଏସ୍), ସାଧାରଣ ନିର୍ବାଚନ ସରିଯାଇ ଫଳ ମଧ୍ୟ ପ୍ରକାଶିତ ହୋଇଛି । ଏହି ନିର୍ବାଚନରେ ରାଜ୍ୟରେ କଂଗ୍ରେସ ପୁଣିଥରେ ଶୋଚନୀୟ ପରାଜୟ ବରଣ କରିଛି । ରାଜ୍ୟରେ ନବୀନ ସରକାର ବିରୁଦ୍ଧରେ ଏକ ପ୍ରବଳ ଜନମତ ରହିଥିଲା । ବିଜେପି ଦଳ ଏହାର ଫାଇଦା ନେଇଥିବା ବେଳେ କଂଗ୍ରେସ ଦଳରେ ସ୍ୱାର୍ଥୀ ନେତାମାନଙ୍କ କାରଣରୁ କଂଗ୍ରେସର ଦୁର୍ଗତି ହୋଇଛି ବୋଲି ଦଳର ବରିଷ୍ଠନେତାଙ୍କ ବିରୁଦ୍ଧରେ ବିଷ ଓଗାଳିଛନ୍ତି ଯୁବନେତା । ଓଡିଶାରେ କଂଗ୍ରେସର ଏହି ଦୁର୍ଗତି ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଓ ପୂର୍ବତନ ବିଧାୟକଦଳର ନେତା ନରସିଂହ ମିଶ୍ର ଦାୟୀ ବୋଲି କଂଗ୍ରେସର ପିସିସି ସଭ୍ୟ ଯୁବନେତା ଆକବର ଖାନ ଅଭିଯୋଗ ଉଠାଇଛନ୍ତି । ଆଜି ସଂଧ୍ୟାରେ ବଲାଙ୍ଗୀର ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ବିଳନୀ କରି ଆକବର ଶରତଙ୍କୁ ଜଣେ ଲୋଭୀନେତା ଓ ନରସିଂହଙ୍କୁ ପୁତ୍ରମୋହରେ ଥିବା ଧୃତାରାଷ୍ଟ୍ର ବୋଲି କହିଛନ୍ତି ଓ ତାଙ୍କ ନିଜର ସ୍ୱାର୍ଥପାଇଁ ଆଜି କଂଗ୍ରେସର ଅଧୋଗତି ହୋଇଛି ବୋଲି ସିଧାସଳଖ ଟାର୍ଗେଟ କରିଛନ୍ତି । ସେଥିପାଇଁ ରାଜ୍ୟର ନବୀନ ସରକାର ବିରୁଦ୍ଧରେ ପ୍ରବଳ ଜନମତ ଥିଲେ ହେଁ କଂଗ୍ରେସଦଳ ତାର କୌଣସି ଫାଇଦା ନେଇପାରିଲା ନାହିଁ । ଓଡିଶାର କଂଗ୍ରେସଦଳକୁ ଠିକରେ ପରିଚାଳିତ କରିଥିଲେ ରାଜ୍ୟରେ କଂଗ୍ରେସ ଅଧିକ ସାଂସଦ ପଦ ଓ ବିଧାୟକ ପଦ ପାଇଥାନ୍ତା । ରାଜ୍ୟରେ ଅଧିକ ସାଂସଦ ଜିଣିଥିଲେ କେନ୍ଦ୍ରର ଇଣ୍ଡିମେଣ୍ଟର ସାଂସଦ ସଂଖ୍ୟା ବଢିପାରିଥାନ୍ତା ଓ ସରକାର ଗଢିବାରେ ସହାୟକ ହୋଇଥାନ୍ତା । କିନ୍ତୁ କଂଗ୍ରେସରେ ଜାଣିଶୁଣି ଦୁର୍ବଳ ସ୍ଥିତିରେ ନିର୍ବାଚନ ପରିଚାଳନା କରାଗଲା । କେବଳ ସେତକି ନୁହେଁ ନରସିଂହ ଗତ ୨୦୧୯ ନିର୍ବାଚନରେ ତାଙ୍କ ପୁଅ ସମରେନ୍ଦ୍ରଙ୍କୁ ସାଂସଦ ଟିକେଟ ଓ ଚଳିତଥର ବିଧାନସଭା ଟିକେଟ କେଉଁ ଆଧାରରେ ଦେଲେ ବୋଲି ଗଣମାଧ୍ୟମ ଜରିଆରେ ଆକବର ନରସିଂହଙ୍କୁ ପ୍ରଶ୍ନ କରିଛନ୍ତି । ସମରେନ୍ଦ୍ର ମିଶ୍ର କେବେ କଂଗ୍ରେସ ସଂଗଠନ ପାଇଁ କାମ କରିଥିଲେ ଯେ କଂଗ୍ରେସଦଳ ତାଙ୍କୁ ଗତଥର ସାଂସଦ ଟିକେଟ ଓ ଏଥର ବିଧାନସଭା ଟିକେଟ ଦେଲେ ବୋଲି ଦଳୀୟନେତାଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି । ଠିକ ସେହିପରି ନରସିଂହ ମିଶ୍ର ଓ ସମରେନ୍ଦ୍ର ମିଶ୍ର ନିର୍ବାଚନରେ ପକ୍କା ବଲାଙ୍ଗିରିଆ ନାରା ଦେଲେ, କିନ୍ତୁ ସମ୍ବଲପୁରରୁ ଜଣେ ଅନଭିଜ୍ଞ ଅଭିନେତା ମନୋଜ ମିଶ୍ରଙ୍କୁ ଡାକି ଆଣି ସାଂସଦ ଟିକେଟ ଦେଲେ । ନରସିଂହ ମିଶ୍ର ମନୋଜଙ୍କ ପାଇଁ କେଉଁକାରଣରୁ ଲବିକରି ଟିକେଟ ଆଣିଲେ ଓ ଯେଉଁ ଇତିହାସ ହେବ ବୋଲି ଗଣମାଧ୍ୟମରେ ବୟାନ ଦେଇଥିଲେ ସେହି ଇତିହାସ ଟା କେଉଁଟା ବୋଲି ଆକବର ପ୍ରଶ୍ନ ଉଠାଇଛନ୍ତି । କେବଳ ସେତିକି ନୁହେଁ ମନୋଜ ମିଶ୍ର ତାଙ୍କ ପ୍ରଚାରରେ ଉପକୂଳ ଅଞ୍ଚଳର ଯୁବକମାନେ ପଶ୍ଚିମଓଡିଶାର ଯୁବନେତାମାନଙ୍କର ହକକୁ ଛଡାଇ ନେଇଯାଉଛନ୍ତି ବୋଲି କହୁଥିଲେ । କିନ୍ତୁ ଆଜି ଆକବର ମନୋଜ ମିଶ୍ରଙ୍କୁ ସାମ୍ବାଦିକ ସମ୍ବିଳନ ଜରିଆରେ ପ୍ରଶ୍ନ କରିଛନ୍ତି ଯେ,ମନୋଜ ଅବିଭକ୍ତ ବଲାଙ୍ଗିର ଜିଲ୍ଲାର ଯୁବନେତାମାନଙ୍କ ହକକୁ ଛଡାଇ ନେଇ ନାହାଁନ୍ତି କି ? ରାଜନୀତିରେ ତାଙ୍କର ଅଭିଜ୍ଞତା କଣ ଥିଲା ଓ କେଉଁ ଆଧାରରେ ତାଙ୍କୁ ଟିକେଟ ଦେଲେ ତାହା କଂଗ୍ରେସଦଳର ଜଣେ ଯୁବନେତା ହିସାବରେ ଉତ୍ତର ଚାହିଁଛନ୍ତି ଆକବର । ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ଅନେକ ଯୁବନେତା କଂଗ୍ରେସର ସଂଗଠନ ପାଇଁ ଦୀର୍ଘବର୍ଷ ହେଲା କାମ କରୁଛନ୍ତି । କିନ୍ତୁ ବରିଷ୍ଠନେତା ନରସିଂହ ମିଶ୍ର ଓ ପିସିସି ସଭାପତି ଶରତ ପଟ୍ଟନାୟକ ଷଡଯନ୍ତ୍ର କରି ତାଙ୍କୁ ଦବାଇ ଦେଇ ସଂଗଠନକୁ ଦୁର୍ବଳ କରିଦେଉଛନ୍ତି ବୋଲି ଆକବର ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here