ଟିଟିଲାଗଡ଼ରେ ୧ କ୍ଵିଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ସହ କାର ଓ ବାଇକ ଜବତ

0
75

ଟିଟିଲାଗଡ଼ (ଜେଏନ୍ଏସ୍), ଟିଟିଲାଗଡ଼ ସହର ତଥା ଆଖପାଖ ଗ୍ରାମାଞ୍ଚଳରେ ଦିନକୁଦିନ ଗଞ୍ଜେଇ ମାଫିଆଙ୍କ କଳାସାମ୍ରାଜ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦ୍ଭୌଗଳିକ ଦୃଷ୍ଟିକୋଣରୁ ଟିଟିଲାଗଡ଼ ସହର ସହ ସୀମାନ୍ତ ଜିଲ୍ଲାଗୁଡିକର ଉତ୍ତମ ସଂଯୋଗ ରହିଛି । ଏଥିସହ ଟିଟିଲାଗଡ଼ ପୂର୍ବତଟ ରେଳ ବିଭାଗର ଏହା ଏକ ପ୍ରମୁଖ ରେଳ ଜଙ୍କସନ ହୋଇଥିବା ଯୋଗୁଁ ଗଞ୍ଜେଇ ମାଫିଆମାନେ ଟ୍ରେନ ଯୋଗେ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କରିବାକୁ ସୁରକ୍ଷିତ ମଣୁଥିବା ଦେଖାଯାଇଛି । ଉଭୟ ରେଳପଥ ଓ ସଡ଼କ ପଥରେ ନିୟମିତ ଅନ୍ତରାଳେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ପୁଲିସ , ଅବକାରୀ ପୁଲିସ ଓ ରେଳବାଇ ପୁଲିସ ଦ୍ଵାରା ଗଞ୍ଜେଇ ଜବତ କରାଯାଇଥିବା ନଜିର ରହିଛି । ରବିବାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାଞ୍ଜିପଦର ପଞ୍ଚାୟତ ସିସାକାନି ଗାଁ ମୁଣ୍ଡରେ ଥିବା ବୁଡକା ଘିବେଲାଙ୍କ ଘରେ ଚୋରା ଚାଲାଣ ହେବାକୁ ଥିବା ବହୁ ପରିମାଣର ଗଞ୍ଜେଇ ଗଚ୍ଛିତ ରହିଥିବା ସୂଚନା ମିଳିଥିଲା । ସ୍ଥାନୀୟ ଜଣେ ସାମ୍ବାଦିକ ଏହି ଘର ନିକଟରେ ଥିବା ତାଙ୍କ ଚାଷ ଜମିକୁ ଯିବା ସମୟରେ ଏହା ଜାଣିବାକୁ ପାଇ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉକ୍ତ ଘରକୁ ସିଲ କରିଥିଲା । ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ଅତିରିକ୍ତ ତହସିଲଦାର ଶକୁନ୍ତଳା ହାଁସଦାଙ୍କ ଉପସ୍ଥିତିରେ ଘର ଖୋଲାଯାଇ ଗଚ୍ଛିତ ଗଞ୍ଜେଇକୁ ଓଜନ କରାଯିବା ସହ ଜବତ କରାଯାଇଛି । ଜବତ ଗଞ୍ଜେଇର ପରିମାଣ ୧ କ୍ଵିଣ୍ଟାଲ ୧ କେଜି ଥିବା ପୁଲିସ ସୂଚନା ଦେଇଛି । ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ସ୍ଥାନୀୟ ଯୁବକଙ୍କ ସହାୟତାରେ ଏଠାରେ ଥିବା ଛତିଶଗଡ଼ର ଗଞ୍ଜେଇ ମାଫିଆମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ଏକ କାର ଓ ୨ ଟି ବାଇକ ପୁଲିସ ଜବତ କରିଛି । 

LEAVE A REPLY

Please enter your comment!
Please enter your name here