ବାଲାଙ୍ଗୀର (ଜେଏନ୍ଏସ୍)୧୩ /୬, ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଆରମ୍ଭ ହୋଇଛି । ମୋହନ ସରକାରରେ ବଲାଙ୍ଗୀର ଜିଲ୍ଲାକୁ ଗୁରୁତ୍ଵ ଦିଆଯାଇଛି । ପାଟଣାଗଡ଼ରୁ ୬ଥର ବିଧାୟକ ହୋଇଥିବା କନକବର୍ଦ୍ଧନ ସିଂଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଓ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଛି । ଗତ ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ସରକାରରେ ବଲାଙ୍ଗୀର ଜିଲ୍ଲାରୁ ଦୁଇଜଣ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ଓ କନକବର୍ଦ୍ଧନ ସିଂଦେଓ ରହିଥିଲେ । ତେବେ ୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଲା ପରେ ବିଜେଡିରୁ ବଲାଙ୍ଗୀର ଜିଲ୍ଲାରୁ ମାତ୍ର ଜଣକୁ ମନ୍ତ୍ରୀପଦ ମିଳି ଆସୁଥିଲା । ଚଳିତ ଥର ସରକାର ବଦଳିବା ପରେ ବିଜେପି ସରକାରରେ ବଲାଙ୍ଗୀର ଜିଲ୍ଲାକୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି । ମହାରାଜା ରାଜେନ୍ଦ୍ରନାରାୟଣ ସିଂଦେଓ ୧୯୬୭ -୧୯୭୧ ମସିହା ପର୍ଯ୍ୟନ୍ତ ଗଣତନ୍ତ୍ର ପରିଷଦ ଦଳରୁ ମିଳିତ ସରକାରର ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ପରେ ବଲାଙ୍ଗୀର ଜିଲ୍ଲାକୁ ନୂଆ ସରକାରରେ ପ୍ରଥମ କରି ଉପମୁଖ୍ୟମନ୍ତ୍ରୀ ପଦ ମିଳିଛି । କନକବର୍ଦ୍ଧନ ସିଂଦେଓ ବଲାଙ୍ଗୀର ରାଜପରିବାରର ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ନାତି ଓ ପୂର୍ବତନ ସାଂସଦ ମହାରାଜା ରାଜରାଜ ସିଂଦେଓଙ୍କ ଜ୍ୟୋଷ୍ଠପୁତ୍ର । କନକଙ୍କ ପତ୍ନୀ ସଂଗୀତା କୁମାରୀ ସିଂଦେଓ ବର୍ତ୍ତମାନର ବିଜେପି ସାଂସଦ । ସ୍ୱର୍ଗତ ରାଜରାଜ ସିଂଦେଓ ୧୯୮୦ ମସିହାରୁ ବିଜେପିର ଜଣେ ପ୍ରତିଷ୍ଠାତା ସଦସ୍ୟ ରହିଥିଲେ । ସେହିଦିନ ଠାରୁ ତାଙ୍କ ପରିବାରକୁ ବିଜେପି ସାଂସଦ ଟିକେଟ ଦେଇଆସୁଛି । ସଂଗୀତା ସିଂଦେଓ ଚଳିତଥରକୁ ମିଶାଇ ପଞ୍ଚମଥର ସାଂସଦ ଭାବରେ ଜିଣିଛନ୍ତି । ଏବେ କନକଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ମିଳିଥିବାରୁ ଦୀର୍ଘବର୍ଷ ହେଲା ବିଜେପିର ମଙ୍ଗଧରିଥିବା ସିଂଦେଓ ପରିବାରକୁ ବିଜେପି ଯଥେଷ୍ଟ ସମ୍ମାନ ଦେଇଛି । କନକବର୍ଦ୍ଧନ ସିଂଦେଓ ୧୯୯୫ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଲଗାତାର ୫ଥର ପାଟଣାଗଡ଼ରୁ ବିଧାୟକ ହୋଇଥିଲେ । ୨୦୧୯ରେ ସେ ପରାଜିତ ହୋଇଥିଲେ ଓ ଏଥର ୨୦୨୪ ନିର୍ବାଚନରେ ପୁଣି ଥରେ ବିଧାୟକ ହୋଇଛନ୍ତି । ୨୦୦୦-୨୦୦୪ ପର୍ଯ୍ୟନ୍ତ ଶିଳ୍ପମନ୍ତ୍ରୀ ଓ ୨୦୦୪-୨୦୦୯ ମସିହା ପର୍ଯ୍ୟନ୍ତ ନଗର ଉନ୍ନୟନ ମନ୍ତ୍ରୀ ରହିଥିଲେ । ସେହିପରି ୨୦୧୩ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ବିଜେପି ଦଳର ରାଜ୍ୟ ସଭାପତି ମଧ୍ୟ ରହିଥିଲେ । ଉଭୟ ସଂଗଠନ ଓ ବିଧାନସଭାରେ ତାଙ୍କର ଅଭିଜ୍ଞତା ରହିଛି । ସେହିପରି ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗଙ୍କୁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଛି । ମୁକେଶ ଲୋଇସିଂହା ଏସ୍.ସି. ସଂରକ୍ଷିତ ନିର୍ବାଚନ ମଣ୍ଡଳିର ଦ୍ୱିତୀୟ ପାଳିର ବିଧାୟକ । ଗତ ୨୦୧୯ରେ ପ୍ରଥମ କରି ଜିଣିଥିଲେ ଓ ଏଥର ଦ୍ୱିତୀୟ ପାଳିରେ ବିପୁଳ ଭୋଟ ବ୍ୟବଧାନରେ ସେ ଜିଣିଛନ୍ତି । ଆଗଲପୁର ବ୍ଲକ ନଅଗାଁ (ଖ) ନୀବାସୀ ମୁକେଶଙ୍କ ଛାତ୍ର ଜୀବନ ବରଗଡ଼ ଜିଲ୍ଲାର ପଦ୍ମପୁରରେ କଟିଛି । ତାଙ୍କ ବାପା ଓ ମାଆ ଉଭୟ ଶିକ୍ଷକ,ଶିକ୍ଷୟୀତ୍ରୀ ଥିଲେ । ତାଙ୍କ ତତ୍ତ୍ୱାବଧାନରେ ଛାତ୍ରାବସ୍ଥାରୁ ଜଣେ ମେଧାବୀ ଛାତ୍ର ରହି ଆସିଥିଲେ । ପଦ୍ମପୁର ରାଜବୋଡା ସମ୍ବର ହାଇସ୍କୁଲରୁ ମାଟ୍ରିକ, ପଦ୍ମପୁର ଅଞ୍ଚଳ କଲେଜରୁ ଯୁକ୍ତଦୁଇ ଓ ଯୁକ୍ତତିନି ବିଜ୍ଞାନ(ପ୍ରାଣୀବିଜ୍ଞାନ) ରେ ଶିକ୍ଷା ସରିଲା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିଲେ । ୧୯୯୭ରେ ସେ ବଲାଙ୍ଗୀର ବିଇଡି କଲେଜରେ ଶିକ୍ଷାଲାଭ କରିଥିଲେ । ଏହାପରେ ପୁଣି ଉତ୍କଳ ବିଶ୍ୱ ବିଦ୍ୟାଳୟକୁ ଫେରି ସେଠାରେ ଲାଇଫ ସାଇନ୍ସରେ ଏମ.ଫିଲ ଓ ତାପରେ ୨୦୦୭ରେ ପରିବେଶ ବିଜ୍ଞାନରେ ସ୍ୱତନ୍ତ୍ର ଫେଲୋସିପ ପାଇ ପିଏଚଡି ଡିଗ୍ରୀ ଲାଭ କରିଥିଲେ । ଏହା ସହିତ ରାଜ୍ୟ ଅର୍ଥନୈତିକ ପରିଚାଳନାରେ ମଧ୍ୟ ସେ ଏକ ସ୍ୱତନ୍ତ୍ର କୋର୍ସ କରିଛନ୍ତି । ଛାତ୍ର ଜୀବନରୁ ଶ୍ରୀ ମହାଲୀଙ୍ଗ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିବିପି)ର ସସଦ୍ୟ ରହି ବିଜେପିର ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସୁସମ୍ପର୍କରେ ରହିଆସିଥିଲେ । ସେଥିପାଇଁ ରାଜ୍ୟପ୍ରଦୁଷଣ ବୋର୍ଡରେ ଜଣେ ଉଚ୍ଚ ବେତନଧାରୀ ପରିବେଶ ବିଜ୍ଞାନୀ ଚାକିରିରୁ ଅବସର ନେଇ ମୁକେଶ ୨୦୧୯ରେ ବିଜେପିରେ ଯୋଗଦେଇ ଲୋଇସିଂହାର ବିଜେପି ବିଧାୟକ ପ୍ରାର୍ଥି ହୋଇଥିଲେ । ଊଭୟ ଥର ସେ ଭଲ ଭୋଟ ବ୍ୟବଧାନରେ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ବିଧାନସଭା ରେ ତାଙ୍କର ଉତ୍ତମ ବ୍ୟବହାର, ଉପସ୍ଥାପନା ଓ ତର୍କପୂର୍ଣ୍ଣ ଯୁକ୍ତି ତାଙ୍କୁ ଲୋକପ୍ରିୟ କରିଛି । ଶ୍ରୀ ମହାଲିଙ୍ଗଙ୍କୁ କ୍ୟାବିନେଟ ମନ୍ତ୍ରୀପଦ ମିଳିଥିବାରୁ ଜିଲ୍ଲାରେ ଖୁସିର ମାହୋଲ ରହିଛି । ନୂଆ ସରକାରରେ ବଲାଙ୍ଗୀର ଜିଲ୍ଲାକୁ ଗୁରୁତ୍ଵ ଦିଆଯାଇଥିବା ବେଳେ ପଶ୍ଚିମ ଓଡିଶା ପାଇଁ କିଛି ବଡ଼ ପ୍ରକଳ୍ପ ଆସିବାର ସମ୍ଭାବନା ସୃଷ୍ଟି ହୋଇଛି। Important: Unauthorized Copying Prohibited
This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.
For permissions or inquiries, please contact us directly.