ରାଷ୍ଟ୍ରପତି ଭବନରେ ପାଳିତ ହେଲା ରଜଉତ୍ସବ… ସଙ୍ଗୀତ ପରିବେଷଣ କଲେ ଛନ୍ଦା ମିଶ୍ର

0
104

ନୂଆଦିଲ୍ଲୀ,(ଜେଏନ୍ଏସ୍)୧୪/୬: ପ୍ରଥମଥର ରାଷ୍ଟ୍ରପତି ଭବନରେ ଧୁମଧାମରେ ପାଳିତ ହୋଇଛି ଓଡ଼ିଶାର ଗଣପର୍ବ ରଜ । ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ର (ଆର୍‌ବିସିସି)ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀପପ୍ରଜ୍ଜ୍ଵଳନ କରି ରଜ ପର୍ବର ଶୁଭାରମ୍ଭ କରିଥିଲେ ।

ଆର୍‌ବିସିସି ପ୍ରାଙ୍ଗଣରେ ଫୁଲ ଓ ଆମ୍ବ ପତ୍ରରେ ଚାରିଟି ରଜ ଦୋଳିକୁ ସୁସଜ୍ଜିତ କରାଯାଇଥିଲା । ଏହି ଅବସରରେ ରାଷ୍ଟ୍ରପତି ତାଙ୍କ ନାତୁଣୀଙ୍କୁ ରଜ ଦୋଳିରେ ଝୁଲାଇଥିଲେ। ମହିଳା ଓ ଯୁବତୀମାନଙ୍କ ପାଇଁ ଅଳତା ଓ ମେହେନ୍ଦିର ଆୟୋଜନ କରାଯାଇଥିଲା । ଏଥିପାଇଁ ସ୍ଵତନ୍ତ୍ର ଭାବେ ଓଡ଼ିଶାରୁ ମେହେନ୍ଦି ଚିତ୍ରକରଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହାପରେ ଆର୍‌ବିସିସିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କଳାକଳ୍ପ ସାଂସ୍କୃତିକ ସଂସ୍ଥାନ ଦ୍ଵାରା ରଜ ସଙ୍ଗୀତ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା ।

ସେହିଭଳି ସମ୍ବଲପୁରୀ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା କରମା ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ, ଭୁବନେଶ୍ଵରର ମୟୂରଭଞ୍ଜ କଳା କେନ୍ଦ୍ର ଦ୍ଵାରା ମୟୂରଭଞ୍ଜ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା । ଓଡ଼ିଶାର ଘରେ ଘରେ ପରିଚିତ ସ୍ତମ୍ଭକାର ତଥା ସୁନାମଧନ୍ୟା କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ‘ଛୋଟ ମୋର ଗାଁ ଟି’ ଗୀତ ପରିବେଷଣ କରିଥିଲେ । ପାଖାପାଖି ଘଣ୍ଟାଏ ଧରି ଆର୍‌ବିସିସିରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉପଭୋଗ କରିବା ସହିତ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ସ୍ୱର୍ଣ୍ଣପ୍ରଭା ପତି ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ରାଷ୍ଟ୍ରପତି ଭବନରେ ରଜ ପର୍ବ ଅବସରରେ ପୋଡ଼ ପିଠା, ପାନ, ପଣା ସମେତ ୨୦ରୁ ଅଧିକ ଓଡ଼ିଶାର ପାରମ୍ପରିକ ସୁସ୍ୱାଦୁ ଖାଦ୍ୟର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥିବୃନ୍ଦଙ୍କ ସମେତ ରାଷ୍ଟ୍ରପତି ଭବନର ସମସ୍ତ ଅଧିକାରୀ, କର୍ମଚାରୀ ଓ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ଯୋଗଦେଇ ରଜ ଉତ୍ସବର ଆନନ୍ଦ ଉପଭୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here