ଲୁଟ ଘଟଣାରେ ୨ ଗିରଫ,୧ ଫେରାର

0
39

ଟିଟିଲାଗଡ଼,୧୬/୦୭/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ସହର ମଧ୍ୟରେ ଘଟିଥିବା ଏକ ଲୁଟ ଘଟଣାରେ ସଂପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଜଣକ ଫେରାର ରହିଥିବା ସୂଚନା ମିଳିଛି । ଘଟଣାକୁ ନେଇ ସ୍ଥାନୀୟ ଏସ୍.ଡ଼ି.ପି.ଓ. ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଥାନାଧିକାରୀ କଲ୍ୟାଣୀ ବେହେରା ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା ବିଶମକଟକ ଥାନା ଅନ୍ତର୍ଗତ ଖମ୍ବେଶି ଗ୍ରାମର କୈଳାସ କନ୍ଧପାଣି ଏବଂ ବଳରାମ କନ୍ଧପାଣି ଛତିଶଗଡର ବିଳାସପୁରରେ ସପୁରୀ ବିକ୍ରୟ କରି ୫୦ହଜାର ଟଙ୍କା ନଗଦ ଧରି ଟିଟିଲାଗଡ଼ ରେଳ ଷ୍ଟେସନରେ ଗତ ୧୩ ତାରିଖରେ ଓହ୍ଲାଇଥିଲେ । ସକାଳ ୬ଟାରେ ଉଭୟେ ବସ ଯୋଗେ ନିଜ ଗ୍ରାମକୁ ଯିବା ପାଇଁ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡକୁ ଯାଉଥିବା ସମୟରେ ୩ଜଣ ଦୁର୍ବୁତ୍ତ ତାଙ୍କୁ ମହାରାଜ ସାଗର ନିକଟରେ ଅଟକାଇ ଏକ ନିଛାଟିଆ ସ୍ଥାନକୁ ନେଇ ଜାବୁଡ଼ି ଧରିବା ସହ ଛୁରି ଦେଖାଇ ଭୟଭୀତ କରି ସେମାନଙ୍କ ଠାରୁ ସମସ୍ତ ଟଙ୍କା ଓ ମୋବାଇଲ ଫୋନ ଲୁଟି ଫେରାର ମାରିଥିଲେ । ଘଟଣାକୁ ନେଇ ଉଭୟ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଥାନାଧିକାରୀ କଲ୍ୟାଣୀ ବେହେରାଙ୍କ ନେତୃତ୍ୱରେ ଏସ୍.ଆଇ. କେ. କେ. ଜାନି, କେ. ଏସ୍. ମାଝୀ, ଏ.ଏସ୍.ଆଇ ଏମ୍. କେ. ବିଶି, ସିପାହୀ ସୁରଜ ଦୀପ, ନେତ୍ରା ନାଗ ପ୍ରମୁଖଙ୍କୁ  ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବା ସହ ତଦନ୍ତକୁ ବ୍ୟାପକ କରିଥିଲେ । ସିସିଟିଭି ଫୁଟେଜ ଆଧାରରେ ପୁଲିସ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବୋଲହରି ବାଗ ଓରଫ ପେଟୁ (୨୨) ଓ ଅଭିଷେକ ନାଗ ଓରଫ ଚିଣ୍ଟୁ (୨୪) କୁ ଗିରଫ କରିଥିଲା । ଏଥିସହ ସେମାନଙ୍କ ଠାରୁ ୧୬ ହଜାର ୨ଶହ ଟଙ୍କା ନଗଦ ଓ ଲୁଟ ଟଙ୍କାରେ କିଣିଥିବା ଗୋଟିଏ ମୋବାଇଲକୁ ପୁଲିସ ଜବତ କରିଛି । ଅଭିଯୁକ୍ତ ଦ୍ୱୟଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି । 

LEAVE A REPLY

Please enter your comment!
Please enter your name here