ଠକାମୀ ଅଭିଯୋଗରେ ୪ ଗିରଫ,୧୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ

0
43

ଟିଟିଲାଗଡ଼,୨୭/୦୭/୨୦୨୫(ଜେ.ଏନ୍.ଏସ୍.),ଅଧିକ ଟଙ୍କା ଦେବା ବଦଳରେ ୧୫ ଲକ୍ଷ ଟଙ୍କା ଠକି ନେଇଥିବା ୪ ଜଣ ଦୃର୍ବୁତ୍ତଙ୍କୁ ଟିଟିଲାଗଡ଼ ପୁଲିସ ଗିରଫ କରିଛି । ଏଥିସହ ସେମାନଙ୍କ ଠାରୁ ବିପୁଳ ଟଙ୍କା, ଗୋଟିଏ ସର୍ପିଓ ଗାଡ଼ି, ଗୋଟିଏ ବୋଲେରୋ ଓ ୨ଟି ମୋବାଇଲ ଜବତ କରିଛି । ଆସନ୍ତା କାଲି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ପୁଲିସ ଆହୁତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ସୂଚନା ଅନୁଯାୟୀ ଆଜି(ରବିବାର) କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଥାନା ଅନ୍ତର୍ଗତ ଦୀନବନ୍ଧୁ ଗଡ଼ତିଆ (୩୫) ଠକାମୀର ଶିକାର ହୋଇଥିବା ନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗ ଅନୁଯାୟୀ ଟିଟିଲାଗଡ଼ ସର୍ଗିଗୁଡ଼ାର ଟଙ୍କଧର ପୁଟେଲ ଓରଫ ଓମ୍ ପ୍ରକାଶ(୩୬), ସଇଁତଳା ଥାନା ସିକାପତ୍ରାପାଲି ଗ୍ରାମର ସତ୍ୟନାରାୟଣ କୁମ୍ଭାର(୩୬), ସୋନପୁର ଥାନାପତି ପଡ଼ାର ଗିରି ଗୋବର୍ଦ୍ଧନ ଥାନାପତି (୪୭) ଓ ମୁରିବହାଲ ଥାନା ଲଖନା ଗ୍ରାମର ହରିଶ ପଟେଲ ଓରଫ ପିଙ୍କୁ(୨୫) ଏକ ଲକ୍ଷ ଟଙ୍କା ବଦଳରେ ୧ କୋଟି ଟଙ୍କା ମିଳିବ ବୋଲି ପ୍ରବର୍ତ୍ତାଇ ଥିଲେ । ଲୋଭର ବଶୀଭୂତ ହୋଇ ଦୀନବନ୍ଧୁ ବ୍ୟାଙ୍କ୍ ଆକାଉଣ୍ଟ ଓ ଫୋନ ପେ’ ମାଧ୍ୟମରେ ୧୫ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଦୃର୍ବୁତ୍ତମାନେ ଟଙ୍କା ଦେବା ପରିବର୍ତ୍ତେ ସମୟ ଗଡ଼େଇ ଚାଲିଥିଲେ । ଟଙ୍କା ମାଗିବାରୁ ଅଭିଯୁକ୍ତମାନେ ଅସଭ୍ୟ ଭାଷାରେ ଗାଳି ଦେବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଘଟଣା ସମ୍ଵନ୍ଧରେ ସେ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ନଗଦ ୧୪ ଲକ୍ଷ ୪୬ ହଜାର ୧୦୦ ଟଙ୍କା, ଓଡ଼ି୦୩ଏଇ୪୭୨୨ ନମ୍ବର ବିଶିଷ୍ଟ ଏକ ସ୍କର୍ପିଓ ଗାଡ଼ି, ଓଡି୦୩ଆର-୩୫୪୩ ନମ୍ବର ବିଶିଷ୍ଟ ଏକ ବୋଲେରୋ ଗାଡ଼ି ଓ ୨ଟି ମୋବାଇଲ ଫୋନ ଜବତ କରିଥିବା ଏସ୍.ଡି.ପି.ଓ ଯଶୋବନ୍ତ ନାରାୟଣ ପ୍ରଧନୀ ଓ ଥାନା ଅଧିକାରୀ କଲ୍ୟାଣୀ ବେହେରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here