ଟିଟିଲାଗଡ଼ରେ ୮୬ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ

0
157

ଟିଟିଲାଗଡ଼,୩୧/୦୮(ଜେଏନ୍ଏସ୍):ଟିଟିଲାଗଡ଼ ପୌରପରିଷଦ ପକ୍ଷରୁ ୮୬ତମ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସହର ମଧ୍ୟରେ ଥିବା ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ଓ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ରାଜ କନୱାର ପାର୍କ ଠାରେ ପତାକା ଉତ୍ତୋଳନ କରି ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ପୌରପରିଷଦ ପକ୍ଷରୁ ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ  କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ସ୍ଥାନୀୟ ଗୋବିନ୍ଦ ବାଟିକା ପରିସରରେ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନଙ୍କ ସଭାପତିତ୍ଵରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ମୁଖ୍ୟ ଅତିଥି, ଜିଲ୍ଲାପାଳ ଗୌରୱ ଶିବାଜୀ ଇସଲୱାର ବିଶିଷ୍ଟ ଅତିଥି, ଉପଜିଲ୍ଲାପାଳ ରେହାନ ଖତ୍ରି ସମ୍ମାନିତ ଅତିଥି ଏବଂ କେ.ଭି. ମହାବିଦ୍ୟାଳୟ,କଣ୍ଟାବାଞ୍ଜିର ଅଧ୍ୟକ୍ଷ ଡ଼କ୍ଟର ପଦ୍ମଲୋଚନ ବର୍ମା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷକ ଉମେଶ ଚନ୍ଦ୍ର ଦାସ ସଭା ପରିଚାଳନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ଜୈନ ଏହି ଦିବସରେ ସମସ୍ତଙ୍କୁ ଶୁଭେଛା ପ୍ରଦାନ କରିବା ସହ ପୌରପରିଷଦର ବିକାଶକୁ ପ୍ରାଥମିକତା ଦେଇଥିବା ଉଲ୍ଲେଖ କରିଥିଲେ । ପୌର ଅଧ୍ୟକ୍ଷା ଶ୍ରୀମତୀ ଜୈନ ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ଆଦର୍ଶ ଓ ବିକଶିତ ପୌର ପରିଷଦରେ ପରିଣତ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବିଶିଷ୍ଟ ଅତିଥି ଶ୍ରୀ ଇସଲୱାର ପୌରପରିଷଦର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ଖତ୍ରି ଏହି ଦିବସର ମହତ୍ତ୍ଵ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ବର୍ମା ବିକଶିତ ପୌରପରିଷଦ ପାଇଁ ସାଧାରଣ ଲୋକଙ୍କ କର୍ତ୍ତବ୍ୟ ଓ ସହଯୋଗର ଆବଶ୍ୟକତା ରହିଥିବା ପ୍ରକାଶ କରିଥିଲେ । ସେହିପରି ପୌରନିର୍ବାହୀ ଅଧିକାରୀ ଜୟସେନ ଧରୁଆ ପୌର ପରିଷଦର ସମସ୍ତ କର ସଠିକ୍ ସମୟରେ ପୈଠ କରି ବିକାଶ କାର୍ଯ୍ୟରେ ସହଯୋଗ କରିବାକୁ ସହରବାସୀଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ, କୃତି ପ୍ରତିଯୋଗୀ, ବିଭିନ୍ନ ବର୍ଗର ପୌରକର୍ମଚାରୀଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମ ରେ ବିଜେପି ଓ ବିଜେଡ଼ି କାଉନସିଲରଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି ଓ ବହୁ ସଂଖ୍ୟାରେ ସହରବାସୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here