ଡକାୟତି ଯୋଜନା କରୁଥିବା ୯ ଜଣ ଅଭିଯୁକ୍ତ ପୁଲିସ କବଜାରେ; ବିଭିନ୍ନ ମାରଣାସ୍ତ୍ର ଜବତ

0
77

ଟିଟିଲାଗଡ଼,୨୬/୦୮(ଜେଏନ୍ଏସ୍): ସ୍ଥାନୀୟ ଅଞ୍ଚଳର କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ ଘରେ ଡକାୟତି ଯୋଜନା କରୁଥିବା ୯ ଜଣ ଅଭିଯୁକ୍ତକୁ ଟିଟିଲାଗଡ଼ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଗତକାଲି ରାତିରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଥ‌ିବା ବେଳେ ଆଜି କୋର୍ଟଚାଲାଣ କରିଛି । ସୂଚନା ଅନୁଯାୟୀ ଗତକାଲି ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଥିଲା ଯେ ଟିଟିଲାଗଡ଼ ବ୍ଲକ ବୁର୍ଡିପଡ଼ାର ରତେଇ ପଡ଼ା ସ୍ଥିତ ସରକାରୀ ଜମିରେ ଥିବା ଏକ କୋଠା ଘରେ ପ୍ରାୟ ୯ ଜଣ ଏକତ୍ରିତ ହୋଇଛନ୍ତି । ତାଙ୍କ ନିକଟରେ ବିଭିନ୍ନ ମାରଣାସ୍ତ୍ର ରହିଛି ଓ ସେମାନେ କେଉଁଠି ଡକାୟତି କରିବେ, ସେଥିପାଇଁ ଯୋଜନା କରୁଛନ୍ତି । ଖବରପାଇ ପୁଲିସ ଏସଆଇ ଅହଲ୍ୟା ସୁନାନୀ, ଏଏସଆଇ ଦେବରାଜ ମାଝୀ, ଏଏସଆଇ ଏସକେ ପାଣିଗ୍ରାହୀ, ହାବିଲଦାର୍ ପି ସାହୁ, ସିପାହୀ ଏମ ପାଣ୍ଡେ, ଏଚ ବରାଲେବଡିଆ, ଜି କଲାକୁରା ଏବଂ ଓଏପି ଫୋର୍ସର ଟି କିରସାନୀ ଓ ବି ଖରା ପ୍ରମୁଖଙ୍କ ଦଳ ସେଠାରେ ଚଢଉ କରି ୯ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ସେମାନଙ୍କ ଠାରୁ ନଗଦ ୧୫ ହଜାର ୭ଶହ ୭୦ଟଙ୍କା, ଗୋଟିଏ ଲୁହା ଭୁଜାଲୀ, ଦୁଇଟି ଲୁହା ଛଡ଼, ସାମଗ୍ରୀ ଭାଙ୍ଗିବା ଅସ୍ତ୍ର, ଗୋଟିଏ ଷ୍ଟିଲ ଚକ୍ର, ଗୋଟିଏ ଷ୍ଟିଲ କଏଁଚି, ବିଡ଼ି ଓ ଲାଇଟର, ଦୁଇଟି ଟ୍ରାସେଲର, ଗୋଟିଏ ସାଗୁଆ ରଙ୍ଗର ଟର୍ଚ୍ଚ ଲାଇଟ, ଦୁଇ ପକେଟ ଲଙ୍କା ଗୁଣ୍ଡ, ମନି ପର୍ସ, ଆଧାର କାର୍ଡ, ପାନ କାର୍ଡ, ବିଭିନ୍ନ କମ୍ପାନୀର ୬ଟି ମୋବାଇଲ ଫୋନ, ଓଡି ୦୩ ଜେଡ଼ ୭୭୬୩ କ୍ରମିକ ନମ୍ବର ବିଶିଷ୍ଟ ଟିଭିଏସ ଜୁପିଟର୍ ସ୍କୁଟି, ଓଡି ୦୮ ୟୁ ୦୮୫୬ କ୍ରମିକ ନମ୍ବର ବିଶିଷ୍ଟ କଳା ଧଲା ରଙ୍ଗର ଏନଟିଓଆର୍‌କ୍ୟୁ ସ୍କୁଟି, ଓଆର୍ ୦୩ଜି ୩୦୦୭ ନମ୍ବର ବିଶିଷ୍ଟ ଲାଲ ରଙ୍ଗର ହୋଣ୍ଡା ୟୁନିକୋନ ବାଇକ, ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଟିଟିଲାଗଡ଼ ଥାନା ଅଧିନସ୍ଥ ହାଇସ୍କୁଲ ପଡ଼ାର ସ୍ଵର୍ଗତ ବୁଠି ମନହୀରାଙ୍କ ପୁଅ କାହ୍ନା ମନହୀରା(୨୧), ପିଡବ୍ଲ୍ୟୁଡି କଲୋନୀର ସୁଶାନ୍ତ ମିଶ୍ରଙ୍କ ପୁଅ ପିଣ୍ଟୁ ଓରଫ ଶ୍ରୀକାନ୍ତ ମିଶ୍ର(୩୪), ବୁର୍ଡିପଡା କୁଣ୍ଢିପଡ଼ାର ସ୍ଵର୍ଗତ ବିହାରୀ ବିଶିଙ୍କ ପୁଅ ଗୁଲାବ ବିଶି (୨୯), ବୁର୍ଡିପଡ଼ାର କାନ୍ତ ରତେଇଙ୍କ ପୁଅ ବସୁ ରତେଇ (୨୪), ମହେନ୍ଦ୍ର ନାଗଙ୍କ ପୁଅ ଚିତରଞ୍ଜନ ଓରଫ ଚମରୁ ନାଗ (୨୧) ଓ ଅକ୍ରୁର ଭୋଇଙ୍କ ପୁଅ ପ୍ରଭାତ ଭୋଇ (୧୯), ବାନ୍ଦୁପଲାର ଅଭିମନ୍ୟୁ ପଟେଲଙ୍କ ପୁଅ ନରେଶ ଓରଫ ଚନ୍ଦନ ପଟେଲ (୨୧), ଟିଟିଲାଗଡ଼ ସର୍ଗିଗୁଡ଼ାର ଦିଲ୍ଲୀପ କୁମାର ସାହୁଙ୍କ ପୁଅ ଓମପ୍ରକାଶ ଓରଫ ଓମ୍‌ ସାହୁ (୨୨), ନୂଆପଡ଼ା ଜିଲ୍ଲା ଖରିଆର ଥାନା ଡୁଆଝର ଗ୍ରାମର ଚନ୍ଦ୍ର ପଟେଲଙ୍କ ପୁଅ ଗୋଲାପ ଓରଫ ଲକ୍ଷ୍ମୀ ପଟେଲ୍‌ (୨୧)କୁ ଠାବ କରିଛି । ଅଭିଯୁକ୍ତଙ୍କୁ ପଚାରିବାରୁ ସେମାନେ ଟିଟିଲାଗଡ଼ ଅଞ୍ଚଳର କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ ଘରେ ଡକାୟତି କରିବା ପାଇଁ ସଂଘବଦ୍ଧ ହୋଇ ଯୋଜନା କରୁଥିବା କହିଥିଲେ ବୋଲି ଆହୁତ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ଏସଡିପିଓ ଅଙ୍କିତା କୁମ୍ଭାର ଓ ଥାନାଧିକାରୀ ବିଶ୍ଵଜିତ ମନବୋଧ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ସମସ୍ତ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here