ସହରବାସୀଙ୍କ ପାଇଁ ମରୀଚିକା ପାଲଟିଛି ୧୩୨ କେଭିର ଗ୍ରୀଡ୍ ସ୍ଥାପନା

0
153

ଟିଟିଲାଗଡ଼ (ଜେଏନଏସ), ଟିଟିଲାଗଡ଼ ସହର ମଧ୍ୟରେ ୧୩୨ କେଭି ଗ୍ରୀଡ୍ ସ୍ଥାପନା କରିବାକୁ ଦୀର୍ଘଦିନ ଧରି ଦାବୀ ହୋଇଆସୁଛି। ଜିଲ୍ଲା ମାନ୍ୟତା ପାଇଁ ସମସ୍ତ ଯୋଗ୍ୟତା ରଖୁଥିବା ଟିଟିଲାଗଡ଼ ସହରବାସୀଙ୍କ ଏହି ଦାବୀ ଜିଲ୍ଲା ଦାବୀ ପରି ମରୀଚିକା ସଦୃଶ ହୋଇଛି । ଜିଲ୍ଲା ଦାବୀ ପରି ସହର ମଧ୍ୟରେ ଗ୍ରିଡ୍ ସ୍ଥାପନ କରିବା ଅଞ୍ଚଳବାସୀଙ୍କ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ ଧରି ଦାବୀ ରହିଛି । ଭୌଗଳିକ ଦୃଷ୍ଟି କୋଣରୁ ଟିଟିଲାଗଡ ସହରକୁ ଚାରିପଟରୁ ଲଣ୍ଡା ପାହାଡ଼  ଘେରି ରହିଥିବା ଯୋଗୁଁ ସହର ଉତ୍ତାପ ବୃଦ୍ଧିକୁ ଏହା ଦ୍ଵିଗୁଣିତ କରିଥାଏ । ତତାଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼  ସହରବାସୀଙ୍କ ପାଇଁ  ବିଦ୍ୟୁତ ବିଭ୍ରାଟ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ ଓ ପ୍ରଶାସନିକ ଅକ୍ଷମତା ଯୋଗୁଁ ସହରର ବାସ୍ତବ ବିକାଶ ବାଟବଣା ହୋଇଥିବା ବେଳେ ସହରବାସୀ ପାଇଁ ଅତ୍ୟାବଶ୍ୟକ ଥିବା ୧୩୨ କେଭି ଗ୍ରୀଡ୍ ସ୍ଥାପନା ସ୍ଵପ୍ନ ହୋଇ ରହିଛି । ଗ୍ରୀଡ୍ ସ୍ଥାପନା ପାଇଁ ଗତ ୨୦୧୫ ରୁ ୨୦୨୦ ମସିହା ଯାଏ ବିଦ୍ୟୁତ ବିଭାଗର ବିଭାଗୀୟ ଦାବୀ ମଧ୍ୟ ହୋଇଛି । ଗତ କିଛି ଦିନ ଧରି ଦେଖାଦେଇଥିବା ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ସହରବାସୀ ନୟାନ୍ତ ହୋଇଥିବା ଦେଖିବାକୁ ମିଳିଛି । କେସିଙ୍ଗା ଗ୍ରୀଡ୍ ରୁ ଟିଟିଲାଗଡ଼ ସହରକୁ ବିଦ୍ୟୁତ୍ ସରୋବରାହ ହେଉଥିବା ବେଳେ ବାରମ୍ବାର ଦେଖାଦେଉଥିବା ବିଦ୍ୟୁତ୍ ବିଭ୍ରାଟକୁ ନେଇ ଜନ ଅସନ୍ତୋଷ ବୃଦ୍ଧିପାଇଛି । ତେବେ ବର୍ତ୍ତମାନ ସ୍ଥିତିରେ ସହରରର ଆବଶ୍ୟକତା ଓ ନିୟମିତ ବିଦ୍ୟୁତ୍ ବିଭ୍ରାଟକୁ ଦେଖି ଟିଟିଲାଗଡ଼ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ବିନାୟକ ରାଉତ ଚଳିତ ମାସ (୦୩/୦୫/୨୦୨୪) ରେ ବଲାଙ୍ଗିର ଅଧିକ୍ଷଣ ଯନ୍ତ୍ରୀଙ୍କ ନିକଟକୁ ପୁଣି ଏକ ବିଭାଗୀୟ ପତ୍ର ଲେଖିଥିବା ସୂଚନା ମିଳିଛି । ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ କଣ୍ଟାବାଞ୍ଜି ଓ ତୁଷୁରାରେ ଗ୍ରୀଡ୍ ରହିଥିବା ବେଳେ ଟିଟିଲାଗଡ଼ ଭଳି ପ୍ରମୁଖ ସହରରେରେ ଆବଶ୍ୟକତା ସତ୍ତ୍ୱେ ଗ୍ରୀଡ୍ ସ୍ଥାପନା ନ ହେବା ସହରବାସୀଙ୍କ ବୃହତ୍ତର ସ୍ୱାର୍ଥ ପ୍ରତି ଚରମ ଅବହେଳା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here