ଜିଲ୍ଲାପରିଷଦ ବୈଠକ, ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ

0
108

ବଲାଙ୍ଗିର,୧୭/୦୭ (ଜେଏନ୍ଏସ୍): ବଲାଙ୍ଗିର ଜିଲ୍ଲାର ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟାକୁ ନେଇ ବଲାଙ୍ଗିର ଜିଲ୍ଲାପରିଷଦ ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଛି । ପାନୀୟଜଳ ପ୍ରକଲ୍ପ ପାଇଁ ସରକାର କୋଟି କୋଟି ଟଙ୍କାର ଅନୁଦାନ ଦେଇଥିବା ବେଳେ ଅନେକ ପ୍ରକଲ୍ପର କାମ ଆରମ୍ଭ ହୋଇନାହିଁ କିମ୍ବା କାମ ସାରିବାର ଅବଧି ସରିଯାଇଥିଲେ ହେଁ ପ୍ରକଲ୍ପର କାମ ସରୁନାହିଁ । ତେଣୁ ଯେଉଁ ଠିକାଦାରମାନେ ଟେଣ୍ଡର ପାଇ କାମ ଆରମ୍ଭ କରୁନାହାଁନ୍ତି କି କାର୍ଯ୍ୟ ଠିକ ସମୟରେ ସାରିପାରୁ ନାହାଁନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ଯୋଗଦେଇଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ୧୦୦ଦିନିଆ ଯୋଜନା ମୁତାବକ ଜିଲ୍ଲାରେ ଥିବା ପ୍ରକଲ୍ପଗୁଡିକର ସଂପୂର୍ଣ୍ଣକରଣ ନେଇ ପ୍ରଶାସନ ପଦକ୍ଷେପ ନେଉ ବୋଲି ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ସଂସଦୀୟବ୍ୟାପାର ଓ ସୂଚନାପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଥିଲେ । ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାନୀୟଜଳ ଯୋଗାଣ ପ୍ରକଲ୍ପ ନିର୍ମାଣରେ ଅହେତୁକ ବିଳମ୍ବ ତଥା ଅନେକ ପ୍ରକଲ୍ପ ଅଚଳ ହୋଇଥିବା ବିଷୟ ନେଇ ଉପସ୍ଥିତ ସଭ୍ୟମାନେ ଅଭିଯୋଗ ଆଣିଥିଲେ । ବୈଠକରେ ଗ୍ରାମ୍ୟପାନୀୟ ଜଳ ଯୋଗାଣ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ. ରୋପ୍ୟରଂଜନ ବେହେରା ଜିଲ୍ଲାରେ ଚାଲିଥିବା ପାନୀୟଜଳ ପ୍ରକଲ୍ପ ବିଷୟରେ ସୂଚନାଦେଇଥିଲେ । ଇଂ.ବେହେରା ସୂଚନା ଦେଇଥିଲେ ଯେ, ରାଜ୍ୟସରକାରଙ୍କ ଦ୍ୱାରା ପ୍ରସ୍ତୁତ ଓ ଅନୁମୋଦିତ ଜିଲ୍ଲା ସାଚୁରେସନ ଯୋଜନା ଅନ୍ତର୍ଗତ ମେଗା ପାଇପଜଳ ଯୋଗାଣ ଯୋଜନା ଅଧିନରେ ୭୨୩ ଟି ଗ୍ରାମ ଓ ୭୪୧ ଟି ଗ୍ରାମ ଏକକ ତଥା ବହୁଗ୍ରାମ ଯୋଜନା ଅଧିନରେ ରହିଛି । ସେହିପରି ଜିଲ୍ଲାରେ ଥିବା ନଦୀଗୁଡିର ଜଳଉତ୍ସଗୁଡିକରେ ଜଳାଭାବ କାରଣରୁ ଯୋଗାଣରେ ସମସ୍ୟା ସୃଷ୍ଟି ହେଉଛି । ଏଥିପାଇଁ ଏଲ ସ୍ଥାୟୀ ଉତ୍ସଗୁଡିକ ଖୋଜିବାର ଆହ୍ୱାନ ଆସିଛି । ଠିକ ସେହିପରି ରାଇଟ ଅଫ ୱେ ପ୍ରସଙ୍ଗଗୁଡିକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଯାହାକି ୪୨୩ ଟି ପାଇପ ଜଳ ଯୋଗାଣ ପ୍ରକଲ୍ପରେ ବିଳମ୍ବ କରାଇଛି । ସେପଟେ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଥିବା ୧୦୦ଦିନର ଟାର୍ଗେଟ ବିଷୟରେ ନିର୍ବାହୀଯନ୍ତ୍ରୀ ଇଂ.ବେହେରା ସୂଚନା ଦେଇଥିଲେ ଯେ, ଆସନ୍ତା ୧୦୦ଦିନ ମଧ୍ୟରେ ଜିଲ୍ଲାରେ ୧୯୫ଟି ପାନୀୟଜଳ ଯୋଗାଣ ପ୍ରକଳ୍ପ କାମ ନିଶ୍ଚିତ ସରିବ । ଏହା ବାଦ ବୈଠକରେ ଜିଲ୍ଲାପରିଷଦ ସଭ୍ୟ, ସଭ୍ୟାମାନେ ସେମାନେ ବିଭାଗକୁ କରୁଥିବା ଅଭିଯୋଗକୁ ଜେଇ କିମ୍ବା ସହକାରୀଯନ୍ତ୍ରୀମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ ଉଠାଇଥିଲେ । ଏଣିକି ଜିଲ୍ଲାପରିଷଦ ସଭ୍ୟ କିମ୍ବା ଲୋକପ୍ରତିନିଧିଙ୍କ ଅଭିଯୋଗ ପାଇଲାମାତ୍ରେ ଜେଇ ଓ ଏଇ ମାନେ ସେମାନଙ୍କୁ ଯୋଗାଯୋଗ କରି ୭ଦିନ ମଧ୍ୟରେ ସମାଧାନ କରାଇ ଜଣାଇବେ ବୋଲି ଇଂ.ବେହେରା କହିଥିଲେ ।

LEAVE A REPLY

Please enter your comment!
Please enter your name here