ଜମି ବିବାଦକୁ ନେଇ ବୃଦ୍ଧ ବାପାଙ୍କୁ ପେଟ୍ରୋଲ ଢ଼ାଳି ହତ୍ୟା ଘଟଣା : ହତ୍ୟାକାରୀ ପୁଅ ଗିରଫ

0
99

ଟିଟିଲାଗଡ଼,୧୮/୦୭ (ଜେଏନ୍ଏସ୍) : ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦର୍ଲୋ ଗ୍ରାମ ଠାରେ ଜମିବାଡ଼ି ବିବାଦକୁ ନେଇ ଘଟିଥିବା ଘଟଣାରେ ହତ୍ୟାକାରୀ ପୁଅକୁ ଗୁରୁବାର ଟିଟିଲାଗଡ଼ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତ କୁ ପଟେଇ ଦିଆଯାଇଥିବା ଜଣା ଯାଇଛି । ପ୍ରକାଶ ଥାଉ କି ଗତ ମାସ ୨୫ ତାରିଖ ଦିନ ଦର୍ଲୋ ଗ୍ରାମ ହରିଜନ ପଡ଼ା ନିବାସୀ ଗୋପୀନାଥ ଭରାସାଗର( ୭୫) ଓ ତାଙ୍କ ପ୍ରଥମ ପତ୍ନୀ ପୁଅ ମୋହନ ଭାରାସାଗରଙ୍କ ମଧ୍ୟରେ ଜମି ଭାଗବଣ୍ଟାକୁ ନେଇ ବିବାଦ ରହିଥିଲା । ମଙ୍ଗଳବାର ଅପରାହ୍ନରେ ମହିମା ଧର୍ମାବଲମ୍ବୀ ଗୋପୀନାଥ ସ୍ନାନ ସାରି ଫେରୁଥିବା ବେଳେ ମୋହନ ସାହି ରାସ୍ତାରେ ତାଙ୍କୁ ମାଡ଼ ମାରିଥିଲା । ଗୋପୀ ତଳେ ପଡ଼ିଯିବା ପରେ ମୋହନ ତାଙ୍କ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଫେରାର ହୋଇଯାଇଥିଲା । ପରିବାର ସଦସ୍ୟ ଗୋପୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନା ଆଣିବା ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିଲା । ତେବେ ଘଟଣା ସମ୍ଵନ୍ଧରେ ଟିଟିଲାଗଡ଼ ପୁଲିସ ଖବର ପାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରି ଏକ ହତ୍ୟା ମାମଲା ରୁଜୁ କରିଥିଲା । ସେହି ସମୟରେ ଅଭିଯୁକ୍ତ ମୋହନ ଫେରାର ହୋଇଯାଇଥିବା ବେଳେ ଆଜି ସେ ଘରକୁ ଫେରୁଥିବା ବେଳେ ପୁଲିସ ତାକୁ ଗିରଫ କରିଥିଲା । 

LEAVE A REPLY

Please enter your comment!
Please enter your name here