ଚୋରା ଚାଲାଣ ବେଳେ ୨ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବତ : ଗାଡ଼ି ଜବତ ସହ ଚାଳକ ଗିରଫ ।

0
108

ଟିଟିଲାଗଡ଼,୨୫/୦୭ (ଜେଏନ୍ଏସ୍) : ଟିଟିଲାଗଡ଼ ବିଜୁ ପଟ୍ଟନାୟକ ଛକ ନିକଟରୁ ଏକ ପିକଅପ୍ ଗାଡ଼ି ଯୋଗେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣ ଗଞ୍ଜେଇକୁ ସ୍ଥାନୀୟ ପୁଲିସ ଗାଡ଼ି ସହ ଜବତ କରିଛି । ଏଥିସହ ଗାଡ଼ିଚାଳକକୁ ମଧ୍ୟ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ଗୁରୁବାର ଦିନ ୧୦ ଘଣ୍ଟା ସମୟରେ ଟିଟିଲାଗଡ଼ କଣ୍ଟାବାଞ୍ଜି ରାସ୍ତା ଦେଇ ଏକ କପଡା ବୋଝେଇ ପିକଅପ୍ ଗାଡ଼ି ନଂ ଓ ଡି ୦୩ ଏଚ୍ ୫୩୯୪ ଯାଉଥିବା ବେଳେ ଏଥିରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୁଲିସ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା । ସୂଚନା ପାଇ ପୁଲିସଟିମ୍ ଏହି ରାସ୍ତାରେ ଜଗି ରହିଥିବା ବେଳେ ଉକ୍ତ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା । ତେବେ ଏହି ଗାଡ଼ିରେ କପଡା ବୋଝେଇ ହୋଇଥିବା ବେଳେ ଗାଡ଼ି ଡାଲାରେ ଏକ ସିକ୍ରେଟ ଚେମ୍ବର ତିଆରି କରାଯାଇ ତାହା ମଧ୍ୟରେ ୨୪୪ ପ୍ୟାକେଟ ଗଞ୍ଜେଇ ରଖାଯାଇଥିବା ଜଣାପଡିଥିଲା । ପୁଲିସ ଗାଡ଼ି ଜବତ କରିବା ସହ ଗାଡ଼ି ଚାଳକକୁ ଗିରଫ କରିଛି । ଗିରଫ ଗାଡ଼ି ଚାଳକ ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡାର ପ୍ରଭାତ ମୁନି (୨୮) ବୋଲି ଜଣାପଡିଛି । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ସ୍ଥାନୀୟ ଅତିରିକ୍ତ ତହସିଲଦାର ଶକୁନ୍ତଳା ହାଁସଦାଙ୍କ ଉପସ୍ଥିତିରେ ପୁଲିସ ଗଞ୍ଜେଇ ଜବତ କରି ଥାନାକୁ ଆଣିଥିବା ବେଳେ ମୂଲ୍ୟାୟନ ପରେ ଜବତ ଗଞ୍ଜେଇର ପ୍ରକୃତ ମୂଲ୍ୟ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି । ଏହି ଚଢାଉରେ ଥାନା ଅଧିକାରୀ ଅବନୀ ସାହୁ, ଏସ୍. ଆଇ. ଦେବାଶିଷ ଶତପଥୀ, କାର୍ତ୍ତିକ ଛତର, କିରଣ କୁମାର ଜାନି ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here