ଦୁଇବର୍ଷ ନ ପୂରୁଣୁ ବନ୍ଦ ହେଲା ଟିଟିଲାଗଡ଼ର ଛତୁଆ ପ୍ରସ୍ତୁତି କେନ୍ଦ୍ର ।

0
89

ଟିଟିଲାଗଡ଼, ୦୩/୦୮ (ଜେଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ପିପଲ ପଦର ଠାରେ ଆରମ୍ଭ ହୋଇଥିବା ଛତୁଆ ପ୍ରସ୍ତୁତି କେନ୍ଦ୍ର ୨ ବର୍ଷ ନ ପୁରୁଣୁ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି । ମିଳିତ ଜାତିସଂଘର ‘ୱାର୍ଲଡ ଫର ଫୁଡ’ ପ୍ରୋଗ୍ରାମ ବିଭିନ୍ନ ଦେଶରେ କାର୍ଯ୍ୟକାରୀ ହେଉଥିବା ବେଳେ ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରଥମ ମୋଡେଲ (ଟିଏଚ୍ଆର ୟୁନିଟ) ଭାବରେ ଏହି କେନ୍ଦ୍ର ସ୍ଥାପିତ ହୋଇଥିଲା ।ରାଜ୍ୟ ସରକାରଙ୍କ ତତ୍କାଳୀନ ଖାଦ୍ୟ ଓ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ମହିଳା, ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ପ୍ରମୁଖ ଗତ ୨୨ ସେପ୍ଟେମ୍ବର ୨୦୨୨ରେ ଏହାକୁ ଉଦଘାଟନ କରିଥିଲେ । ତେବେ ବର୍ତ୍ତମାନ ଏହି ଛତୁଆ ପ୍ରସ୍ତୁତି କେନ୍ଦ୍ର ଅଚଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଏହି କେନ୍ଦ୍ରରୁ ଟିଟିଲାଗଡ଼ ଏବଂ ସଇଁତଲା ବ୍ଲକର ହିତାଧିକାରୀଙ୍କୁ ଛତୁଆ ପ୍ୟାକେଟ ପ୍ରଦାନ ଲକ୍ଷ୍ୟ ରହିଥିଵା ବେଳେ ଏହା ଲକ୍ଷ୍ୟଚ୍ୟୁତ ହୋଇଥିବା ଦେଖାଯାଇଛି । ଏହି ପ୍ରକଳ୍ପର ମେସିନ ଅଚଳ ଯୋଗୁଁ ଗତ ୨ ମାସ ଧରି ହିତାଧିକାରୀଙ୍କୁ ଛତୁଆ ଯୋଗାଣ ସମ୍ଭବ ହୋଇନଥିବା ଟିଟିଲାଗଡ଼ ସିଡ଼ିପିଓ ଶାନ୍ତିଲତା ସାହୁ କହିଛନ୍ତି । ଏଥିଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ସୁଧାରିବାକୁ ବିକଳ୍ପ ବ୍ୟବସ୍ଥା ଭାବରେ ବ୍ଲକ ଅନ୍ତର୍ଗତ କୁରସୁଡ଼ ଠାରେ ଥିବା ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ୧୨୫ କ୍ୱିଣ୍ଟାଲ ଛତୁଆ ବଣ୍ଟନ ପାଇଁ ଅର୍ଡର ଦିଆଯାଇଥିବା ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି । ତେବେ ଏହି ଅତ୍ୟାଧୁନିକ ମେସିନ ଯୁକ୍ତ ପ୍ରକଳ୍ପ ୨ ବର୍ଷ ନ ପରୁଣୁ ଅଚଳ ହୋଇପଡ଼ିବା  ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । 

LEAVE A REPLY

Please enter your comment!
Please enter your name here