ମରିସସରୁ ଟିଟିଲାଗଡ଼ ଆସିଲା ଶ୍ରମିକଙ୍କ ଶବ

0
91

ଟିଟିଲାଗଡ଼,୨୯/୦୮(ଜେଏନ୍ଏସ୍): ଟିଟିଲାଗଡ଼ ସହରର ସର୍ଗିଗୁଡ଼ା ନିବାସୀ ସ୍ଵର୍ଗତ ଜୟ ଛାତ୍ରୀୟାଙ୍କ ପୁଅ ରାକେଶ ଛତ୍ରିଆଙ୍କ ଶବ ସୁଦୂର ମରିସସରୁ ଆସି ତାଙ୍କ ବାସଭବନରେ ପହଞ୍ଚିଛି । ମରିସସରୁ ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିଥିବା ପରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ବିମାନ ବନ୍ଦରରେ ଉପସ୍ଥିତ ରହି ସେଠାରୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼କୁ ପଠାଇବାର ବ୍ୟବସ୍ଥା କରିଥିଲେ । ବିଳମ୍ବିତ ରାତିରେ ରାକେଶଙ୍କ ମୃତଦେହ ପହଞ୍ଚିଥିବାବେଳେ ଶୋକାକୁଳ ପରିବେଶରେ ସକାଳୁ ସ୍ଥାନୀୟ ଶ୍ମଶାନରେ ତାଙ୍କ ଶବ ସତ୍କାର  କରାଯାଇଥିଲା । ପ୍ରକାଶ ଯୋଗ୍ୟ ଯେ, ସର୍ଗିଗୁଡା ନିବାସୀ ସ୍ଵର୍ଗତ ଜୟ ଛତ୍ରିଆ ଏକ ଠେଲା ଚାଳକ ଭାବରେ କାର୍ଯ୍ୟକରି ନିଜ ପରିବାରର ୧୦ ପ୍ରାଣୀଙ୍କ ଗୁଜୁରାଣ ମେଣ୍ଟାଉ ଥିଲେ ।ତାଙ୍କ ୫ ପୁଅ ଓ ୩ ଝିଅ ମଧ୍ୟରେ ରାକେଶ ବଡ ପୁଅ ହୋଇଥିବାରୁ ରୋଜଗାରରେ ବାପାଙ୍କ ବୋଝ ଲାଘବ କରିବାକୁ ସେ ଘରୁ ଗୋଡ଼ କାଢିଥିଲେ । ରାଜେଶ ପ୍ରଥମେ ଗୁଜୁରାଟର ସୁରଟ ଓ ପରେ ଏକ ଦଲାଲ ମାଧ୍ୟମରେ ମରିସସ ଚାଲିଯାଇଥିଲେ । ତେବେ ଗତ ସପ୍ତାହରେ ଡାଇରିଆରେ ଜୟଙ୍କ ମୃତ୍ୟୁ ହୋଇଥିଲା । ବାପାଙ୍କ ମୃତ୍ୟୁ ଖବର ପାଇ ଦଶାହ କାର୍ଯ୍ୟକୁ ଆସିବାକୁ  ଭାଇ ଉମେଶ ସହ ରାକେଶ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ । ଏହାର ଦିନକ ପରେ  ରାକେଶ ମରିସସରେ ଆତ୍ମହତ୍ୟା କରିଥିବା ସଂପୃକ୍ତ କମ୍ପାନୀରୁ ଖବର ଆସିଥିଲା । କମ୍ପାନୀ ପକ୍ଷରୁ ରାକେଶ ଆତ୍ମହତ୍ୟା କରିଥିବା କୁହାଯାଇଥିବା ବେଳେ ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ରାକେଶକୁ ନିର୍ଯ୍ୟାତନା ଦେଇ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ଘଟଣାର ତଦନ୍ତ ଦାବୀ କରିଛନ୍ତି ।ସ୍ଥାନୀୟ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ, ଏସଡିପିଓ ଅଙ୍କିତା କୁମ୍ଭାର, ଥାନା ଅଧିକାରୀ ବିଶ୍ୱଜିତ୍ ମନବୋଧ, ବିଜେପି ନେତ୍ରୀ ରଞ୍ଜୁ ରାୟମନ୍, ଅଶ୍ଵିନୀ ସାହୁ, ଅଶୋକ ଭୋଇ ପ୍ରମୁଖ ଶବ ସଂସ୍କାରରେ ଯୋଗଦେଇଥିଲେ ।ଅପରପକ୍ଷରେ ଏକ ସମୟରେ ରୋଜଗାରିଆ ବାପା ଓ ପୁଅକୁ ହରାଇ ଅସହାୟ ହୋଇପଡ଼ିଥିବା ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବୀ ହୋଇଛି । 

LEAVE A REPLY

Please enter your comment!
Please enter your name here