ନୂଆଖାଇରେ ଦାଦନଙ୍କ ଘର ବାହୁଡ଼ା

0
107

ଟିଟିଲାଗଡ଼,୦୬/୦୯,(ଜେଏନଏସ), ମାଟିର ପର୍ବ ନୂଆଖାଇ ପାଇଁ ରାଜ୍ୟ ବାହାରୁ ଦାଦନଙ୍କ ଘର ବାହୁଡ଼ା ଆରମ୍ଭ ହୋଇଛି । ଭାଇଚାରାର ବାର୍ତ୍ତା ବହନ କରୁଥିବା ଗଣପର୍ବ ନୂଆଖାଇ ପେଟପାଇଁ  ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟରେ ଖଟୁଥିବା ଦାଦନଙ୍କୁ ନିଜ ଗାଁ ମାଟି ପ୍ରତି ଆକୃଷ୍ଟକରି ଟାଣିଆଣୁଥିବା ଟିଟିଲାଗଡ଼ ରେଳ ଷ୍ଟେସନରେ ଦେଖିବାକୁ ମିଳୁଛି ।ଟିଟିଲାଗଡ଼ ଓ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ବହୁସଂଖ୍ୟାରେ ଦାଦନ ଶ୍ରମିକ ଫେରୁଥିବା ଏବଂ ସମସ୍ତଙ୍କ ମୁହଁରେ ନିଜ ଆତ୍ମୀୟଙ୍କ ସହ ନୂଆ ଖାଇବାର ଉତ୍ସାହଥିବା ପରିଲକ୍ଷିତ ହୋଇଛି । ପଶ୍ଚିମ ଓଡ଼ିଶାର ବଲାଙ୍ଗିର ଜିଲ୍ଲା ଦାଦନ ପ୍ରବଣ ଜିଲ୍ଲା ଭାବରେ ବେଶ୍ ପରିଚିତ । ଏହି ଅଞ୍ଚଳରେ ସରକାରଙ୍କ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମନରେଗା ମଧ୍ୟ ଦାଦନ ରୋକିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି । କର୍ମନିଯୁକ୍ତି ସୁଯୋଗର ଅଭାବ ଯୋଗୁଁ ଏହି ଅଞ୍ଚଳରୁ ଅନ୍ୟ ରାଜ୍ୟକୁ ବହୁ ଲୋକ ଦାଦନ ଖଟିବାକୁ ଯାଇ ବାରମ୍ବାର ଅକଥନୀୟ ନିଯ୍ୟାତନାର ଶିକାର ହୋଇଥିବା ନଜିର ରହିଛି । ତେବେ ମାନବ ଚାଲାଣ ତଥା ଦାଦନ ସମସ୍ୟା ଆଧୁନିକ ସମାଜକୁ କଳୁଷିତ କରିବା ସହ ବର୍ତ୍ତମାନ ସମାଜରେ ଏକ ଗୁରୁତର ସମସ୍ୟା ଭାବରେ ମୁଣ୍ଡ ଟେକିଛି । ଜିଲ୍ଲାରେ ବୃଦ୍ଧି ପାଉଥିବା ଏହି ଗ୍ରାଫ ଉପରେ ଅଙ୍କୁଶ ଲଗାଇବାକୁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଥିଲେ ମଧ୍ୟ ଏଥିରେ ବିଶେଷ ସଫଳତା ମିଳିପାରି ନାହିଁ ।ତେବେ ନୂଆଖାଇ ପାଇଁ ପଶ୍ଚିମ ଓଡ଼ିଶାର ଗାଁ ଠାରୁ ସହର ଉତ୍ସବ ମୁଖରିତ ଥିବାବେଳେ ଏମାନଙ୍କ ଘର ଲେଉଟାଣି ଯୋଗୁଁ ତାଙ୍କ ପରିବାରର ଖୁସିକୁ ଦ୍ଵିଗୁଣିତ କରିଥିବା ଦେଖିବାକୁ ମିଳିଛି । 

LEAVE A REPLY

Please enter your comment!
Please enter your name here