ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସରେ ନୂଆଁଖାଇ ପାଳିତ

0
152

ବଲାଙ୍ଗିର,୦୮/୦୯,(ଜେଏନଏସ), ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସରେ ସିଂଦେଓ ପରିବାର ପକ୍ଷରୁ ନୂଆଖାଇ ପାଳିତ ହୋଇଯାଇଛି । ପାଟଣାଗଡ଼ଜାତ ରାଜ୍ୟର ମହାରାଜା କନକବର୍ଦ୍ଧନ ସିଂଦେଓ, ତାଙ୍କ ପତ୍ନୀ ମହାରାଣୀ ସଂଗୀତା କୁମାରୀ ସିଂଦେଓ, କନକ ବର୍ଦ୍ଧନଙ୍କ କାକା ଅନଙ୍ଗ ଉଦୟ ସିଂଦେଓ, ଭାଇ କଳିକେଶ ନାରାୟଣ ସିଂଦେଓ, ତାଙ୍କ ଧର୍ମପତ୍ନୀ ମେଘନା ସିଂଦେଓ, ମନ୍ମଥ ବିଜୟ ସିଂଦେଓ ପ୍ରମୁଖ ସମସ୍ତେ ଏକତ୍ରିତ ହୋଇ ଶୈଳଶ୍ରୀ ପ୍ୟାଲେସରେ ନୂଆଁ ଖାଇଛନ୍ତି । ଦେବୀଦେବତାଙ୍କ ପୂଜାର୍ଚ୍ଚନା ପରେ ପ୍ୟାଲେସର ରାଜପୁରୋହିତ ସନ୍ତୋଷ ଦାସ ସମସ୍ତଙ୍କୁ ନୂଆଁ ଦେଇଥିଲେ । ରାଜପରିବାରର ସଦସ୍ୟମାନେ ଏକାଠି ନୂଆଁ ଖାଇବା ବିଷୟକୁ ନେଇ ବଲାଙ୍ଗିରରେ ଆଲୋଚନାର ବିଷୟ ହୋଇଛି । ପ୍ରକାଶ ଯେ, ବଲାଙ୍ଗିର ରାଜପରିବାର ଭିତରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବିବାଦ ଲାଗିରହିଛି । ଉଭୟ ରାଜପରିବାର ଭିନ୍ନଭିନ୍ନ ସ୍ଥାନରେ ନୂଆଁ ଖାଉଥିବାବେଳେ କିଛିବର୍ଷ ଧରି ପୁଣି ଏକତ୍ରିତ ହୋଇ ନୂଆଁଖାଇ ପାଳନ କରୁଥିବା ଦେଖାଯାଇଛି । ବର୍ତ୍ତମାନ କନକବର୍ଦ୍ଧନ ସିଂଦେଓ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ତାଙ୍କ ପତ୍ନୀ ସଂଗୀତା କୁମାରୀ ସିଂଦେଓ ବଲାଙ୍ଗିରର ଲୋକସଭା ସାଂସଦ ରହିଛନ୍ତି । ସେହିପରି କନକଙ୍କ କାକାପୁଅ ଭାଇ କଳିକେଶ ନାରାୟଣ ସିଂଦେଓ ବଲାଙ୍ଗିରର ବିଧାୟକ ରହିଛନ୍ତି । କନକ ଓ ସଂଗୀତା ଭାଜପା ଦଳରେ ରହିଥିବା ବେଳେ କଳିକେଶ ବିଜେଡି ଦଳରୁ ବିଧାୟକ ରହିଛନ୍ତି । ଭିନ୍ନଭିନ୍ନ ରାଜନୈତିକ ଦଳର ହୋଇଥିଲେ ମଧ୍ୟ ନୂଆଖାଇ ପର୍ବ ଉଭୟ ପରିବାରଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବାରେ ସଫଳ ହୋଇଛି । 

LEAVE A REPLY

Please enter your comment!
Please enter your name here