ଫେରିଲେ ନିଖୋଜ ଲୋକୋ ପାଇଲଟ ରଙ୍ଗବାହାଦୁର

0
128

ଟିଟିଲାଗଡ଼,୧୦/୦୯,(ଜେଏନଏସ), ଦୀର୍ଘ ୬ ଦିନ ଧରି ନିଖୋଜଥିବା ଲୋକୋ ପାଇଲଟ ରଙ୍ଗବହାଦୁର ସିଂ ମଙ୍ଗଳବାର ଘରକୁ ଫେରିଥିବା ନେଇ ଟିଟିଲାଗଡ଼ ଜିଆରପି ପୁଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଜିଆରପି ଏସଡିପିଓ ନିରଞ୍ଜନ ପାଢ଼ୀ ରାୟଗଡ଼ାରୁ ଆସି ସଂପୃକ୍ତ ଲୋକୋ ପାଇଲଟକୁ ଜେରା କରିବା ସହ ଘଟଣାର ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ଲୋକୋପାଇଲଟ ରଙ୍ଗବାହାଦୁର ଓ ତାଙ୍କ ସହଯୋଗୀ ବୁଦ୍ଧିମାନ ବେହେରା ଗତ ୪ ତାରିଖ ରାତିରେ ବିଶାଖାପାଟଣା ଦୁର୍ଗ ଏକ୍ସପ୍ରେସ ଟ୍ରେନରେ କଣ୍ଟାବାଞ୍ଜି ବାହାରିଥିଲେ ।ସେଠାରୁ ଉଭୟଙ୍କ ଡ୍ୟୁଟି ଥିବାବେଳେ ରଙ୍ଗବାହାଦୁର କଣ୍ଟାବାଞ୍ଜିରୁ ହିଁ ନିଖୋଜ ହୋଇଯାଇଥିଲେ । ଘଟଣା ସମ୍ପର୍କରେ ସହଯୋଗୀ ଶ୍ରୀ ବେହେରା ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିବା ପରେ ବିଭାଗୀୟ ତଦନ୍ତ ଆରମ୍ଭ ହେବା ସହ ଜିଆରପି ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା ।ପୁଲିସ ପକ୍ଷରୁ ନିଖୋଜ ଲୋକୋ ପାଇଲଟଙ୍କ ମୋବାଇଲ ଓ ବ୍ୟାଙ୍କ ଆକାଉଣ୍ଟ ଟ୍ରାକିଂ କରାଯିବା ପରେ ସେ ହରିଦ୍ଵାର ଠାରେ ଏକ ଏଟିଏମରୁ ଟଙ୍କା କାଢିଥିବା ଜଣାପଡିଥିଲା । ଜିଆରପି ଥାନା ଅଧିକାରୀ ବିନୟ ଭୋଇ ଏକ ଟିମ୍ ସହ ରଙ୍ଗ ବାହାଦୁରଙ୍କୁ ଉଦ୍ଧାର କରିବାକୁ ହରିଦ୍ଵାର ପହଞ୍ଚିବା ପରେ ସେ ହରିଦ୍ଵାର ଶାନ୍ତିକୁଞ୍ଜ ଆଶ୍ରମରୁ ଦିଲ୍ଲୀ ଚାଲି ଯାଇଥିବା ଜଣା ପଡ଼ିଥିଲା । ପୁଲିସ ଦିଲ୍ଲୀ ପହଞ୍ଚିବା ପୂର୍ବରୁ ସେ ଦିଲ୍ଲୀରୁ ସମତା ଟ୍ରେନ ଯୋଗେ ଟିଟିଲାଗଡ଼ ଅଭିମୁଖେ ବାହାରିଥିବା ଜଣା ପଡ଼ିଥିଲା । ଆଜି ଟିଟିଲାଗଡ଼ରେ ପହଞ୍ଚିବା ପରେ ସେ ପୁଲିସ ନିକଟରେ ନିଜେ ପହଞ୍ଚିଥିଲେ । ତେବେ ପରିବାର ଲୋକଙ୍କ ଅପହରଣ ଅଭିଯୋଗକୁ ଖଣ୍ଡନ କରିବା ସହ ସେ ମାନସିକ ଚାପରେ ଥିବା ଏବଂ ଶାନ୍ତି ପାଇବା ପାଇଁ ସେ ଚାଲିଯାଇଥିବା କହିଥିଲେ । ତେବେ ଯାତ୍ରୀଙ୍କ ସୁରକ୍ଷାକୁ ଅଣଦେଖା କରି ଏତେ ଚାପଗ୍ରସ୍ଥରେଥିବା ଟ୍ରେନ ଚାଳକଙ୍କୁ କିଭଳି ଟ୍ରେନ ଚଳାଇବାକୁ ଉପରିସ୍ଥ ଅଧିକାରୀ ଅନୁମତି ଦେଉଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here