ଭୁତ କଲେଜ ଘଟଣା ତଦନ୍ତ ପରେ ପ୍ରଶାସନ ନୀରବ ଅଭିଭାବକ ମହଲରେ ଅସନ୍ତୋଷ

0
104

ଟିଟିଲାଗଡ଼,୨୧/୦୯,(ଜେଏନଏସ), ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସଇଁତଲା ବ୍ଲକ ସିଲେଟପଡ଼ା ଠାରେ ହୃଷିକେଶ ପ୍ରିୟବତୀ ଇନଫରମେସନ ଏଣ୍ଡ ଟେକନୋଲୋଜି କଲେଜ ନାମରେ ଏକ ଯୁକ୍ତଦୁଇ ଭୁତ କଲେଜ ଖୋଲି ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ସହ ଠକାମୀ କରାଯାଇଥିବା ଅଭିଯୋଗ ହୋଇଥିଲା । ଆବଶ୍ୟକ ଭିତ୍ତିଭୂମି ନ ଥାଇ ୨୦୨୩-୨୪  ଶିକ୍ଷା ବର୍ଷରୁ  ଯୁକ୍ତଦୁଇ ପାଇଁ ପିଲାଙ୍କ ଏଠାରେ ନାମଲେଖା ଆରମ୍ଭ ହୋଇଥିଲା । ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ବେଲଗାଁ ସ୍ଥିତ ସରକାରୀ ଅନୁଦାନ ପ୍ରାପ୍ତ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ କୁହାଯାଇଥିଲା । ଏପରିକି ଉକ୍ତ ଘରୋଇ କଲେଜର ପିଲା ବେଲଗାଁ କଲେଜରେ ଯୁକ୍ତଦୁଇ ପ୍ରଥମବର୍ଷ ପରୀକ୍ଷା ମଧ୍ୟ ଦେଇଥିବା ଜଣାପଡିଥିଲା ।ତେବେ ଆଗକୁ ଯୁକ୍ତଦୁଇ ବୋର୍ଡ ପରୀକ୍ଷା ରହିଥିବା ଯୋଗୁଁ ଆଶଙ୍କାରେ ରହିଥିଵା ଅଭିଭାବକ ତଥା ଛାତ୍ରଛାତ୍ରୀ ଟିଟିଲାଗଡ଼ ଉପଜିଲ୍ଲାପାଳ ଏବଂ ବଲାଙ୍ଗିର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହେବାପରେ ଘଟଣା ସାର୍ବଜନୀନ ହେବା ସହ ଏହି କଲେଜରେ ହୋଇଥିବା ବିଭିନ୍ନ ଅନିୟମିତତା ଲୋକଲୋଚନକୁ ଆସିଥିଲା । ବେଲଗାଁ ଗୋପବନ୍ଧୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ସାହୁ ଏବଂ ଅଧ୍ୟାପକ କିଶୋର ସାହୁ ସେମାନଙ୍କୁ ଉକ୍ତ ଘରୋଇ କଲେଜରେ ନାମ ଲେଖାଇଲେ ବେଲଗାଁ କଲେଜରେ ଅଧ୍ୟୟନ ପାଇଁ ସୁଯୋଗ ମିଳିବ ବୋଲି କହିଥିବା ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଥିଲା । ଏପରିକି ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ କହିଥିଲେ । ପ୍ରଶାସନ ପକ୍ଷରୁ ସଇଁତଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ଟିଟିଲାଗଡ଼ ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାର ପୃଥକ ଭାବରେ ତଦନ୍ତ କରିଥିଲେ । ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରୀ ଓ  ସମ୍ବଲପୁର ଉଚ୍ଚ ମାଧ୍ୟମିକ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ପ୍ରଧାନ ମିଳିତ ଭାବରେ ଘଟଣାସ୍ଥଳ ଗସ୍ତ କରି ସରଜମିନ ତଦନ୍ତ କରିଥିଲେ ।  ଅଧ୍ୟାପକ କିଶୋର ସାହୁଙ୍କ ଅନୁରୋଧ କ୍ରମେ ସଂପୃକ୍ତ କଲେଜର ଛାତ୍ରଛାତ୍ରୀଙ୍କୁ ବେଲଗାଁ କଲେଜରେ ଅଧ୍ୟୟନ ପାଇଁ ଅନୁମତି ଦେଇଥିବା ତଦନ୍ତ ଅଧିକାରୀଙ୍କୁ ବେଲଗାଁ କଲେଜ ଅଧ୍ୟକ୍ଷା ଜ୍ୟୋସ୍ନା ସାହୁ ଲିଖିତ ବୟାନ ଦେଇଥିଲେ । ତେବେ ଏତେ ତଦନ୍ତ ପରେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଛି । ଏହିଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ତଦନ୍ତ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଏବଂ ସଂପୃକ୍ତ ଘଟଣାରେ ପ୍ରଶାସନର ନରମ ଆଭିମୁଖ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । 

LEAVE A REPLY

Please enter your comment!
Please enter your name here