ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ

0
71

ବଲାଙ୍ଗିର,୨୧/୦୯,(ଜେଏନଏସ),ରାଜ୍ୟରେ ବିଜେପି ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ସ୍ଥାନୀୟ ପଥରଚେପା ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟଅତିଥି, ବଲାଙ୍ଗିର ସାଂସଦ ସଙ୍ଗୀତା ସିଂ ଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, କଣ୍ଟାବାଞ୍ଜି ବିଧାୟକ ଲକ୍ଷଣ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସରକାରଙ୍କ ୧୦୦ ଦିନର ସଫଳତା ବିଷୟରେ ଉଲ୍ଲେଖ କରିଥିଲେ । ମୋହନ ସରକାର ରାଜ୍ୟବାସୀଙ୍କ ସର୍ବାଙ୍ଗୀନ ଉନ୍ନତିପାଇଁ ବିଶେଷକରି ଗରିବ, କୃଷକ, ଯୁବକ ଓ ମହିଳାଙ୍କ କଲ୍ୟାଣ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିବା ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ । ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜୀ ଈଶାଲୱାର ସଭାର ସଭାପତିତ୍ୱ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ନୂଆସରକାର ଶ୍ରୀମନ୍ଦିରର ୪ ଦ୍ଵାର ଖୋଲିବା ସହ ରତ୍ନଭଣ୍ଡାର ଖୋଲିବା, ଶ୍ରୀମନ୍ଦିର ପାଇଁ ୫ଶହ କୋଟିର କର୍ପୋସ ଫଣ୍ଡର ବ୍ୟବସ୍ଥା କରିଥିବା ଏବଂ ସୁଭଦ୍ରା ଯୋଜନା ଆରମ୍ଭ କରି ମହିଳାଙ୍କୁ ସ୍ୱାବଲମ୍ବୀ ହେବାରେ ସହାୟକ ହୋଇଥିବା ମୁଖ୍ୟ ଅତିଥି ଶ୍ରୀ ମହାଲିଙ୍ଗ ପ୍ରକାଶ କରିଥିଲେ ।

ସୁଭଦ୍ରା ଯୋଜନାରେ ବଲାଙ୍ଗିର ଜିଲ୍ଲାରେ ୩ ଲକ୍ଷରୁ ଉର୍ଦ୍ଧ ମହିଳା ପଞ୍ଜୀକୃତ ହୋଇଥିବା ସେ ଉଲ୍ଲେଖ କରିଥିଲେ ।ଏଥିସହ ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା ସମାଧାନ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି । ଚାଷ ଏବଂ ଚାଷୀର ଉନ୍ନତି ପାଇଁ ଧାନର ମୂଲ୍ୟକୁ ୩୧ଶହ ଟଙ୍କାକୁ ବର୍ଦ୍ଧିତ କରାଯାଇଛି । ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଟଙ୍କା ସିଧା ଚାଷୀଙ୍କ ଖାତାକୁ ଯିବ। ଆଳୁ ମିଶନକୁ ଗତିଶିଳ କରି ପ୍ରତି ଉପଖଣ୍ଡରେ ଶୀତଳ ଭଣ୍ଡାର ଖୋଲାଯିବ । ପିଏମ କିଷାନ ସହ ଏବେ ସିଏମ କିଷାନରେ ଚାଷିଙ୍କୁ ସହାୟତା ଦିଆଯାଉଛି। ସେହିଭଳି ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡିଶାରେ ଲାଗୁ ହେବ । ରାଜ୍ୟର ପ୍ରାୟ ଏକ କୋଟି ପରିବାରଙ୍କୁ ଦେଶର ୨୭ ହଜାରରୁ ଉର୍ଦ୍ଧ ହସ୍ପିଟାଲରେ ନିଃଶୁକ୍ଳ ଚିକିତ୍ସା ପାଇବେ । ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ମଧ୍ୟ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାରେ ୫ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ କରାଯାଉଛି ବୋଲି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି । ଏହି ଅବସରରେ ଅତିଥିବୃନ୍ଦ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୁଭଦ୍ରା, ଲକ୍ଷପତି ଦିଦି, ସ୍ଵଚ୍ଛ ଭାରତ ମିଶନ ଯୋଜନାର ହିତାଧିକାରୀମାନଙ୍କୁ ଅର୍ଥରାଶି ଓ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀଯୁକ୍ତ ପବିତ୍ର ବେହେରା, ସ୍ଥାନୀୟ ରାଜନେତା, ବୁଦ୍ଧିଜୀବୀ, ଗଣାମାଧ୍ୟମ ପ୍ରତିନିଧିଙ୍କ ସହ ବହୁ ସଂଖ୍ୟାରେ  ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here