ଟିଟିଲାଗଡ଼ରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

0
75

ଟିଟିଲାଗଡ଼,୦୩/୧୦,(ଜେଏନ୍ଏସ୍ ), ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଦେଶକୁ ସ୍ଵାଧନତାର ସ୍ଵାଦ ଚଖାଇଥବା ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି । ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ କ୍ଷତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ପୌରାଧ୍ୟକ୍ଷା ମମତା ଦେବୀ ଜୈନ, ଉପାଧ୍ୟକ୍ଷା ପୁଷ୍ପମଞ୍ଜରୀ ଜାଲ, ଟିଟିଲାଗଡ଼ ବ୍ଲକ ଉପାଧ୍ୟକ୍ଷ ଜଗତରାମ ରଣା, ପୌର ନିର୍ବାହୀ ଅଧିକାରୀ ଜୟସେନ ଧରୁଆ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ । ମୁଖ୍ୟଅତିଥି ଶ୍ରୀ ଜୈନ ସର୍ବଧର୍ମର ସାର କଥା, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହି ମହାନ ଜନନାୟକଙ୍କ ପଥ ଅନୁସରଣ କଲେ ଭାରତ ବର୍ଷ ଆହୁରୀ ସମୃଦ୍ଧ ହେବ ବୋଲି କହିଥିଲେ । ସମ୍ମାନୀତ ଅତିଥିବୃନ୍ଦ ବର୍ତ୍ତମାନରେ ବଞ୍ଚିବା, ସମ୍ୟକ ଚିନ୍ତାଧାରା ଓ ଅହିଂସା ପ୍ରମୁଖ ତିନୋଟି ସୁତ୍ରରେ ମଣିଷ ନିଜ ଜୀବନଧାରଣ କଲେ ସମସ୍ତ ସମସ୍ୟାର ସମାଧାନ ଘଟିବା ସହ ସମସ୍ତ ଧର୍ମ ମଧ୍ୟରେ ସମନ୍ଵୟ ରହିଲେ ସାମ୍ପ୍ରଦାୟିକ ସଦ୍‌ଭାବନା ବଜାୟ ରହିବ ବୋଲି କହଥଲେ । ସଭାର ସଭାପତି ଶ୍ରୀ କ୍ଷତ୍ରୀ ତାଙ୍କ ଅଭିଭାଷଣରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଏବଂ ଆଦର୍ଶକୁ ନିଜ ଜୀବନରେ ଅନୁସରଣ କଲେ ଜୟନ୍ତୀ ଉତ୍ସବ ପାଳନକରିବା ସାର୍ଥକ ହେବ ବୋଲି କହି ସ୍ଵଚ୍ଛତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବାବେଳେ ସ୍ଵଚ୍ଛସାଥି ଓ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ପ୍ରାରମ୍ଭରେ ଅତିଥିଗଣ ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପୂଜାର୍ଚ୍ଚନା କରିଥିଲେ । ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ପ୍ରାରମ୍ଭ ଓ ଶେଷରେ ଗାନ୍ଧୀ ଭଜନ ପରିବେଷଣ କରିଥିଲେ । ହିନ୍ଦୁ ସମ୍ପ୍ରଦାୟର ପ୍ରତିନିଧି ଜଗନ୍ନାଥ ପଣ୍ଡା, ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରତିନିଧି ଆଚାର୍ଯ୍ୟ ଜ୍ୟୋତି ରଞ୍ଜନ ପାଇକ, ଜୈନ ସମ୍ପ୍ରଦାୟର ଓମପ୍ରକାଶ ଜୈନ ପ୍ରମୁଖ ପବିତ୍ର ଗ୍ରନ୍ଥରୁ ଅହିଂସା, ଭାତୃଭାବ, ଅଣୁବ୍ରତ ଓ ସାମ୍ପ୍ରଦାୟିକ ସଦ୍‌ଭାବନାର ବାର୍ତ୍ତା ଦେଇଥିଲେ । ସଭା ପୁର୍ବରୁ ସ୍ଥାନୀୟ ପୌର କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ସହର ଭ୍ରମଣ କରି ସ୍ଵଚ୍ଛ ପରିବେଶ ବଜାୟ ରଖିବା ପାଇଁ ସଚେତନତା ସୃଷ୍ଟି କରିଥିଲା । ପ୍ରାକ୍ତନ ଶିକ୍ଷକ ଚିନ୍ତାମଣି ମହାପାତ୍ର ସଭାର ସଂଯୋଜନା କରିଥିବା ବେଳେ ଶେଷରେ ଧନ୍ୟବାଦ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେଇଥିଲେ । ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରାକର, ଉତ୍ସବ ପାଳନ କମିଟିର ରାଜେନ୍ଦ୍ର ନାରାୟଣ ମିଶ୍ର, ସୁବୋଧ ଦାଶ, ଆଲୋକ ନାୟକ, ସୁଧର ଘଡେଇ, ଶୁଭସ୍ଥିତା ଧଳ, ଉତ୍ସବ କମିଟିର ସମସ୍ତ ସଦସ୍ୟ, ପୌର ପରିଷଦର ସମସ୍ତ କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here