ସିନ୍ଧେକେଲା ବେଆଇନ କ୍ଲିନିକରେ ଚଢାଉ ନକଲି ଡାକ୍ତର ଗିରଫ

0
115

ଟିଟିଲାଗଡ଼,୦୬/୧୦,(ଜେଏନ୍ଏସ୍) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଠାରେ ଥିବା ଏକ ଘରୋଇ କ୍ଲିନିକ ଉପରେ ଜିଲ୍ଲା ଭେଷଜ ନିରୀକ୍ଷକ ଓ ସ୍ଥାନୀୟ ପୁଲିସର ମିଳିତ ଚଢାଉ ହୋଇଛି । ଚଢାଉ ପରେ କ୍ଲିନିକ ମାଲିକ ତଥା ନକଲି ଡାକ୍ତରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ଗଙ୍ଗାନାପୁର୍ ଥାନା ଅନ୍ତର୍ଗତ ରାମେଶ୍ଵରପୁର ନିବାସୀ ପଲାସ କୁମାର ବିଶ୍ୱାସ(୪୩) ନିଜକୁ ଡାକ୍ତର ଭାବରେ ପରିଚୟ ଦେଇ ସିନ୍ଧେକେଲା ତୁଳସୀ ଛକ ଠାରେ ଦୀର୍ଘ ୧୦ ବର୍ଷ ଧରି  କ୍ଲିନିକ ଖୋଲି ରୋଗୀଙ୍କୁ ଚିକିତ୍ସା କରୁଥଲେ । ଶନିବାର ଜିଲ୍ଲା ଭେଷଜ ନିରୀକ୍ଷକ ଓ ପୁଲିସ ଟିମ୍ ଏହି କ୍ଲିନିକ ଉପରେ ଚଢାଉ କରିଥିବା ବେଳେ ସଂପୃକ୍ତ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ନ ଥାଇ ଡାକ୍ତର ସାଜିଥିବା ଓ ବେଆଇନ ଭାବରେ ଦୀର୍ଘବର୍ଷ ଧରି କ୍ଲିନିକ ଚଳାଉଥିବା ଜଣାପଡିଥିଲା ଘଟଣାକୁ ନେଇ ସିନ୍ଧେକେଲା ଥାନା କେସ ନଂ୨୭୯/୨୪ ଅନ୍ତର୍ଗତ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ, ଏହି ନକଲି ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ କିଛିଦିନ ପୂର୍ବରୁ ପୂର୍ଣିଆପାଲି ଗାଁର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳରେ ଅନୁରୂପ ଘଟଣା ନିୟମିତ ଅନ୍ତରାଳେ ଘଟୁଥିବା ନଜିର ରହିଛି । ବିଭାଗୀୟ ଉଦାସୀନତା ତଥା ଅନୁକମ୍ପା ଯୋଗୁଁ ମାଳମାଳ ନକଲି କ୍ଲିନିକ ଖୋଲାଯାଇ ଲୋକଙ୍କ ଧନ ଜୀବନ ସହ ଖେଳୁଥିବା ଦେଖିବାକୁ ମିଳିଛି । 

LEAVE A REPLY

Please enter your comment!
Please enter your name here