ସଂକଟରେ ଗଜରାଜ, ହାତୀ ମୃତ୍ୟୁର ଉପତ୍ୟକା ବଲାଙ୍ଗିର

0
74

ବଲାଙ୍ଗିର,୧୩/୧୦,(ଜେଏନ୍ଏସ୍) ବଲାଙ୍ଗିର ବନବିଭାଗର ହାତୀ ପରିଚାଳନାରେ ତ୍ରୁଟି ଯୋଗୁଁ ବଲାଙ୍ଗିର ଜିଲ୍ଲା ହାତୀ ମୃତ୍ୟୁର ଉପତ୍ୟକା ସାଜିଥିବା ଦେଖିବାକୁ ମିଳିଛି । ଗତ ୨୦୧୧-୧୨ ମସିହାରୁ ୨୦୨୪ ମସିହା ମଧ୍ୟରେ ମୋଟ ୧୪ ଟି ହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ସେଥିମଧ୍ୟରୁ ଲୋଇସିଂହା ରେଞ୍ଜ ଅଞ୍ଚଳରେ ୪ଟି ଓ ବଲାଙ୍ଗିର ରେଞ୍ଜ ଅଞ୍ଚଳରେ ୪ଟି ହାତୀର ମୃତ୍ୟୁ ହୋଇଛି । ଲୋଇସିଂହା ରେଞ୍ଜ ଅନ୍ତର୍ଗତ ମହାକୁରପାଲି ଓ ବଲାଙ୍ଗିର ଅସୁରଡୁଙ୍ଗୁରୀ ନିକଟସ୍ଥ ମଠଖାଇ ଜଙ୍ଗଲରେ ମୃତ୍ୟୁବରଣ କରିଥିବା ହାତୀର ଦାନ୍ତ ଶିକାରୀ ମାନେ ଲୁଟି ନେଇଥିବା ଏବଂ ଏହାକୁ ଉଦ୍ଧାର କରିବାରେ ବନବିଭାଗ ଓ ଏସଟିଏଫ ଫେଲ ମାରିଥିବା ଦେଖାଯାଇଛି । ବିଗତ ୫ଦିନ ମଧ୍ୟରେ ବଲାଙ୍ଗିର ରେଞ୍ଜ ଅଞ୍ଚଳରେ ଦୁଇଟି ହାତୀର ମୃତ୍ୟୁ ହୋଇଛି । ଅସୁରଡୁଙ୍ଗୁରୀ ନିକଟସ୍ଥ ମଠଖାଇ ଜଙ୍ଗଲରେ ମରିଥିବା ହାତୀର ଦାନ୍ତ କାଟି ନିଆଯାଇଛି । ବଲାଙ୍ଗିର ଜିଲ୍ଲାକୁ ନିକଟସ୍ଥ ବୌଦ୍ଧ-କନ୍ଧମାଳ, ସୋନପୁର ଜିଲ୍ଲା ଦେଇ ସମ୍ବଲପୁର ଜିଲ୍ଲାରୁ ହାତୀପଲ ଆସୁଥିବା ବେଳେ ଶିକାରୀମାନେ ବିଦ୍ୟୁତ ସଂଯୋଗ ଦେଇ ହାତୀ ଶିକାର କରୁଥିବା ଅଭିଯୋଗ ହୋଇଛି । ମୋଟ ୧୪ଟି ହାତୀ ମୃତ୍ୟୁ ମଧ୍ୟରୁ ବିଦ୍ୟୁତ ସଂଯୋଗ କାରଣରୁ ୫ଟି ହାତୀର ମୃତ୍ୟୁ ହୋଇଛି । ଶିକାରୀମାନେ ବାରହା ଶିକାର ପାଇଁ ଜଙ୍ଗଲ ମଧ୍ୟରେ ଲଗାଉ ଥିବା ଜେଇ ବିଦ୍ୟୁତ ତାରରେ ଲାଗି ମଧ୍ୟ ହାତୀମାନେ ମୃତ୍ୟୁବରଣ କରୁଛନ୍ତି । ତେବେ ଏପର୍ଯ୍ୟନ୍ତ ଜଣେ ମଧ୍ୟ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଏଥିପାଇଁ ଦାୟୀ କରାଯାଇ ନାହିଁ । ସ୍ଥାନୀୟ ଲୋକଙ୍କ ସହ ବନବିଭାଗର ସମନ୍ୱୟ ରହୁନଥିବା ଓ ବନୀକରଣ ଭଳି କେବଳ ଲାଭଯୁକ୍ତ କାମରେ କର୍ମଚାରୀମାନେ ବ୍ୟସ୍ତରହି ବନ୍ୟଜନ୍ତୁ ସୁରକ୍ଷାରେ ଧ୍ୟାନ ଦେଉନଥିବାରୁ  ବନ୍ୟଜନ୍ତୁ ଶିକାର ବଢୁଥିବା ଅଭିଯୋଗ ହେଉଛି । 

LEAVE A REPLY

Please enter your comment!
Please enter your name here