ବିସ୍ଥାପିତଙ୍କ ସମସ୍ୟା ନେଇ ବିଧାୟକଙ୍କ ସମୀକ୍ଷା ବୈଠକ

0
63

ବଲାଙ୍ଗିର,୧୬/୧୧,(ଜେଏନ୍ଏସ୍), ସ୍ଥାନୀୟ ଲୋୟର ସୁକତେଲ କାର୍ଯ୍ୟାଳୟର ସଭାଗୃହଠାରେ ବିସ୍ଥାପିତଙ୍କ ବିଭିନ୍ନ ସମସ୍ୟା ନେଇ ବିଧାୟକ କଳିକେଶ ନାରାୟଣ ସିଂଦେଓ ଏକ ସମୀକ୍ଷା ବୈଠକ କରିଛନ୍ତି । ଆୟୋଜିତ ବୈଠକରେ ବିସ୍ଥାପିତଙ୍କ ପାଇଁ କଲୋନୀରେ ରାସ୍ତାଘାଟ, ଡ୍ରେନ, ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର, ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ, ବିଦ୍ୟୁତ ସମସ୍ୟା, ଭୂମିହୀନଙ୍କୁ ବାସ ଉପଯୋଗୀ ଜମି ଯୋଗାଇବା, ବନ୍ଧ ଖନନ କରାଯିବା ଇତ୍ୟାଦି ବିଷୟ ନେଇ ଆଲୋଚନା କରାଯାଇଥିଲା । ଝାଙ୍କର ପାଲି ଓ ଗେଡାବାଞ୍ଜି ବିସ୍ଥାପିତ କଲୋନୀରେ ନିର୍ମିତ ଅଙ୍ଗନୱାଡି କେନ୍ଦ୍ରକୁ ତୁରନ୍ତ ବିଦ୍ୟୁତ ସଂଯୋଗ କରାଯାଇ ଚାଲୁକରିବା, ଉଭୟ କଲୋନୀରେ ପ୍ରାଥମିକ ସ୍କୁଲ ସ୍ଥାପନ ପାଇଁ ପ୍ରସ୍ତାବ ପଠାଇବାକୁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ପ୍ରଶାସନ ମୋଟ ୨୫୫ଜଣ ଭୂମିହୀନଙ୍କୁ ତାଲିକା ଭୁକ୍ତ କରିଥିବା ବେଳେ ଲୋଇସିଂହା ତହସିଲ ପକ୍ଷରୁ ୧୨୦ଜଣ ଭୂମିହୀନଙ୍କୁ ଯାଞ୍ଚ କରି ମାତ୍ର ୩୫ଜଣଙ୍କୁ ଯୋଗ୍ୟ ବୋଲି ରିପୋର୍ଟ କରିଥିବାରୁ ବିଧାୟକ ଅସନ୍ତୋଷ ବ୍ୟକ୍ତ କରିଥିଲେ । କ୍ଷତିପୂରଣ ଓ ଥଇଥାନ ରାଶି ପାଇବାବାରୁ ବଞ୍ଚିତ ଥିବା ବିସ୍ଥାପିତଙ୍କ ପ୍ରାଥମିକତା ଭିତ୍ତିରେ ବିଚାର କରିବା ସହ ସମୁଦାୟ ୧୦ଟି ବିସ୍ଥାପିତ କଲୋନୀର ସମସ୍ୟା ସମାଧାନ ପାଇଁ ଉଭୟ ପ୍ରକଳ୍ପ କତ୍ତୃପକ୍ଷ ଓ ଜିଲ୍ଲାପ୍ରଶାସନ ତତ୍ପରତା ପ୍ରକାଶ କରିବାକୁ ବିଧାୟକ କହିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ, ଅତିରିକ୍ତ ଜିଲ୍ଲାପାଳ ଡ.ବିଜୟ କୁମାର ସେଠୀ, ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ଉପଜିଲ୍ଲାପାଳ ଆଲୋକ ପଟେଲ, ସଦର ବ୍ଲକର ବିଡିଓ, ପୌର ଅଧିକାରୀ ଇଂ.ବିଶ୍ୱମ୍ବର ମିଶ୍ର, ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ଏନ.କେ ଘଡେ଼ଇ ପ୍ରମୁଖଙ୍କ ସହ ବିଭାଗୀୟ ଅଧିକାରୀ ଓ ବିଜେଡି ନେତା ଲକ୍ଷ୍ମଣ କୁମାର ମେହେର, ଗୋଲାପ ବାଗ, ରାଜେନ୍ଦ୍ର ହୋତା, ଲେଙ୍କା ସାହୁ, ବୁଲୁ ବେହେରା, ବିଭୁତି ଭୂଷଣ ମିଶ୍ର, ପ୍ରଦ୍ୟୁମ୍ନ ହୋତା, ଟୁନା ସ୍ୱାଇଁ, ଗୁଞ୍ଜ ଖାନ, ସୁମନ ନନ୍ଦ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here