ଟିଟିଲାଗଡ଼ ପୌରପରିଷଦ ପରିମଳ ବ୍ୟବସ୍ଥାରେ ବ୍ୟାପକ ହରିଲୁଟ ଅଭିଯୋଗ

0
41

ଟିଟିଲାଗଡ଼,୧୦/୦୩/୨୦୨୫,(ଜେଏନ୍ଏସ୍) :ଟିଟିଲାଗଡ଼ ପୌରପରିଷଦ ପରିମଳ ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସୂଚନା ଅଧିକାର କର୍ମୀ ସତ୍ୟନାରାୟଣ ବହିଦାର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୋଗ ଆଣିଛନ୍ତି । ପୌର କର୍ତ୍ତୃପକ୍ଷ ପରିମଳ ବ୍ୟବସ୍ଥା ପାଇଁ ନିୟୋଜିତ ଥିବା ଠିକା ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗତ ୨୦୨୧ ମସିହାରେ ପୌର ପରିଷଦ ପକ୍ଷରୁ ପରିମଳ ବ୍ୟବସ୍ଥା ପାଇଁ ଟେଣ୍ଡର ଆହ୍ଵାନ କରାଯାଇଥିଲା । ଏହି ପ୍ରକ୍ରିୟାରେ ୪ ଟି ସଂସ୍ଥା ଆବେଦନ କରିଥିବା ବେଳେ କଟକ ନିବାସୀ ଠିକାଦାର ସୁରେନ୍ଦ୍ର ବାରିକ ନିର୍ଦ୍ଧାରିତ ମୂଲ୍ୟ ଠାରୁ ୧୪.୯୯ ପ୍ରତିଶତ କମ ମୂଲ୍ୟରେ ଟେଣ୍ଡର ଆବେଦନ କରି ଏହାକୁ ହାସଲ କରିଥିଲେ । ସଂପୃକ୍ତ ସଂସ୍ଥାକୁ ଧାର୍ଯ୍ୟ ମୂଲ୍ୟ ଅନୁଯାୟୀ ୨ କୋଟି ୨୬ ଲକ୍ଷ ୭୨ ହଜାର ୪୨୮ ଟଙ୍କା ବାର୍ଷିକ ପ୍ରଦାନ କରାଯାଇଛି । ତେବେ ସର୍ତ୍ତ ଅନୁଯାୟୀ ସଂପୃକ୍ତ ଠିକା ସଂସ୍ଥା କାର୍ଯ୍ୟ ତୁଲାଇ ନଥିବା ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପୁଣି ୨ ବର୍ଷ ଯାଏ କାଉନସିଲ ମିଟିଂରେ ପ୍ରସ୍ତାବ ପାରିତ କରାଯାଇ ବିନା ଚୁକ୍ତିରେ ଉକ୍ତ ସଂସ୍ଥାର ଅବଧି ବୃଦ୍ଧି କରାଯାଇଥିବା ଜଣାପଡ଼ିଛି । ଏପରିକି ସମ୍ପୃକ୍ତ ସଂସ୍ଥାକୁ ଜାରି ହୋଇଥିବା ବିଭାଗୀୟ କାର୍ଯ୍ୟାଦେଶ ପତ୍ର ସଂଖ୍ୟା ୨୦୫୬/୨୬.୧୧.୨୦୨୧ରେ ମଧ୍ୟ ମୂଲ୍ୟ ଧାର୍ଯ୍ୟ କରାଯାଇ ନାହିଁ । ପରିମଳ ଦାୟିତ୍ୱରେ ଥିବା ମହିଳା ଅଧିକାରୀ ସଂପୃକ୍ତ ସଂସ୍ଥାର ଲକ୍ଷ ଲକ୍ଷ ଟଙ୍କାର ବିଲ ପାସ ପାଇଁ ନିଜେ ଅଣ୍ଟା ଭିଡିଥିବା ଅଭିଯୋଗ ହୋଇଛି । ଏହି ସଂସ୍ଥା ତିନି ବର୍ଷ ମଧ୍ୟରେ ଚଞ୍ଚକତା କରି ପୌର ପରିଷଦ ଠାରୁ  କୋଟି କୋଟି ଟଙ୍କା ନେଇଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ସତ୍ୟ ଉନ୍ମୋଚନ ହୋଇପାରିବ ବୋଲି ଶ୍ରୀ ସତ୍ୟ ନାରାୟଣ ବହିଦାର ଦାବୀ କରିଛନ୍ତି । ଘଟଣାକୁ ନେଇ ପୌରଅଧ୍ୟକ୍ଷା ମମତାଦେବୀ ଜୈନଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଏହା ପୂର୍ବ ସରକାର ସମୟର କଳେଙ୍କାରୀ କହିବା ସହ ତାଙ୍କ ସମୟରେ ହୋଇଥିବା ଯେ କୌଣସି ଅଭିଯୋଗର ତଦନ୍ତ କୁ ସେ ସ୍ଵାଗତ କରୁଥିବା କହିଥିଲେ।

LEAVE A REPLY

Please enter your comment!
Please enter your name here