ଭୁବନେଶ୍ଵର,୧୬/୦୩/୨୦୨୫,(ଜେଏନ୍ଏସ୍ ବ୍ୟୁରୋ) : ‘ଶ୍ରୀରାଧା’ର ସ୍ରଷ୍ଟା ତଥା ଓଡ଼ିଶାର ଖ୍ୟାତନାମା କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ୯୦ ବର୍ଷ ବୟସରେ ଭୁବନେଶ୍ଵରସ୍ଥିତ ତାଙ୍କ ବାସ ଭବନରେ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଅସୁସ୍ଥ ଥିଲେ। ବରେଣ୍ୟ କବି ପଦ୍ମଭୂଷଣ ରମାକାନ୍ତ ରଥ ୧୩ ଡିସେମ୍ବର ୧୯୩୪ରେ କଟକରେ ଜନ୍ମଗ୍ରହଣ କରିଥିଲେ। ସେ ଇଂରାଜୀରେ ଭାଷା ସାହିତ୍ୟରେ ରେଭେନ୍ସା କଲେଜରୁ ସ୍ନାତକୋତ୍ତର କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ। ଏହି ସମୟରେ ତାଙ୍କ ରଚିତ କବିତା ସଂକଳନ ‘କେତେ ଦିନର’ (୧୯୬୨), ‘ସନ୍ଦିଗ୍ଧ ମୃଗୟା’ (୧୯୭୧), ‘ସପ୍ତମ ରତୁ’ (୧୯୭୭), ‘ସଚିତ୍ର ଅନ୍ଧାର’ (୧୯୮୨), ‘ଶ୍ରୀରାଧା’ (୧୯୮୫) ଏବଂ ‘ଶ୍ରେଷ୍ଠ କବିତା’ (୧୯୯୨) ପ୍ରକାଶ ପାଇଥିଲା। ଏହି ସାତଟି କବିତା ସଂକଳନ ମଧ୍ୟରୁ ‘ଶ୍ରୀରାଧା’ ଲାଗି ସେ ସର୍ବାଧିକ ଚର୍ଚ୍ଚିତ ହେବା ସହ ପାଠକୀୟ ଶ୍ରଦ୍ଧା ଲାଭ କରିଥିଲେ । ତାଙ୍କ ରଚିତ ସଂକଳନ ‘ସୀମାନ୍ତ ବାସ’, ‘ଫେରି ଚାହିଁଲେ’, ‘ସବୁଦିନେ ସେପାଖେ’, ‘ଯା ନ ଯା କହୁ କହୁ’, ‘ସରଳ ହୃଦଗଣିତ’ ଓ ‘ଧର୍ମପଦର ଆତ୍ମହତ୍ୟା’ ଆଦି ପାଠକ ମହଲରେ ବେଶ୍ ଆଦୃତ ହୋଇଥିଲା । କବି ରମାକାନ୍ତ ସନ୍ଥ କବୀରଙ୍କ କବିତାର ମଧ୍ୟ ଅନୁବାଦ କରିଥିଲେ ଏବଂ ତାହା ‘ସେବେ, ଏବେ, ସବୁବେଳେ’ ସଂକଳନରେ ସ୍ଥାନିତ ହୋଇଥିଲା । ତେବେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ‘ସପ୍ତମ ଋତୁ’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମି ଦ୍ଵାରା ଏବଂ ୧୯୮୪ରେ ‘ସଚିତ୍ର ଅନ୍ଧାର’ ସଂକଳନ ପାଇଁ ଶାରଳା ପୁରସ୍କାରରେ ପୁରସ୍କୃତ ହୋଇଥିଲେ । ୧୯୯୨ରେ ସେ ଓଡ଼ିଶାର ମୁଖ୍ୟ ସଚିବ ଥିବାବେଳେ ଅବସର ଗ୍ରହଣ କରିଥିଲେ । ସେହି ୧୯୯୨ରେ ତାଙ୍କୁ ସରସ୍ୱତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କ ରଚିତ କାବ୍ୟକବିତା ଇଂରାଜୀ ଓ ୮ଟି ଭାରତୀୟ ଭାଷାରେ ଅନୁଦିତ ।





