ତାଲା ଭାଙ୍ଗି ସରକାରୀ କ୍ୱାର୍ଟର ଜବର ଦଖଲ

0
51

ଟିଟିଲାଗଡ଼,୦୫.୦୪.୨୦୨୫(ଜେ.ଏନ୍.ଏସ୍.), ଟିଟିଲାଗଡ଼ ସରକାରୀ ଡାକ୍ତରଖାନାର କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ କ୍ୱାର୍ଟରର ତାଲା ଭାଙ୍ଗି ଦୀର୍ଘଦିନ ଧରି ଜବର ଦଖଲ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାକୁ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ସହରର ଏଲ୍.ଆଇ.ସି. କଲୋନୀ  କ୍ୱାର୍ଟର ନଂ -୨ରେ ରହୁଥିବା ଷ୍ଟାଫନର୍ସ ସୁଷମା ତନ୍ତୀଙ୍କ ବଲାଙ୍ଗିର ବଦଳି ହୋଇଥିଲା । ବଦଳି ପରେ ଶ୍ରୀମତୀ ତନ୍ତୀ ୧୦ ଅକ୍ଟୋବର ୨୦୨୩ରେ ସଂପୃକ୍ତ କ୍ୱାର୍ଟର କ୍ଳିଅରେନ୍ସ ବିଭାଗୀୟ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ତେବେ କିଛିଦିନ ପରେ ଉକ୍ତ କ୍ୱାର୍ଟର ତାଲା ଭାଙ୍ଗି କେହି ଅଜଣା ବ୍ୟକ୍ତି ଜବରଦଖଲ କରିଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ଜାଣିବାକୁ ପାଇ ବିଭାଗୀୟ ପତ୍ର ସଂଖ୍ୟା ୯୨୦/୧୬ ଜୁଲାଇ୨୦୨୪ ଅନ୍ତର୍ଗତ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ତେବେ ଦୀର୍ଘଦିନ ଧରି ଏହି କ୍ୱାର୍ଟର ଜବର ଦଖଲରେ ରହିଥିଲେ ସୁଦ୍ଧା କେବଳ ଏକ ଅଭିଯୋଗ କରି ଡାକ୍ତରଖାନା କର୍ତ୍ତୃପକ୍ଷ ଆଉ କୌଣସି ପଦକ୍ଷେପ ନ ନେବା ଜବରଦଖଲକାରୀଙ୍କ ମନୋବଳ ବୃଦ୍ଧି କରିବା ସଦୃଶ ହୋଇଛି । ବର୍ତ୍ତମାନ ଘଟଣାକୁ ନେଇ ଥାନା ଅଧିକାରୀ କଲ୍ୟାଣୀ ବେହେରା ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଥିବା ବେଳେ ବର୍ତ୍ତମାନ ଏସ୍. ଡି.ଏମ୍.ଓ. ଦାୟିତ୍ୱରେ ଥିବା ଡ଼. ଓମକାର ହୋତା ସଂପୃକ୍ତ କ୍ୱାର୍ଟର ଜବରଦଖଲ ମୁକ୍ତ କରାଇବାକୁ ସ୍ଥାନୀୟ ପୁଲିସକୁ ଆସନ୍ତାକାଲି ପୁଣି ଏକ ବିଭାଗୀୟ ଚିଠି ମାଧ୍ୟମରେ ଆବେଦନ କରାଯିବ ବୋଲି ସୂଚନା ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ଏହି ଏଲ୍.ଆଇ.ସି. କଲୋନୀର ଅନ୍ୟ କିଛି କ୍ୱାର୍ଟର ମଧ୍ୟ ଦୀର୍ଘଦିନ ଧରି ଜବରଦଖଲ ରହିଛି । ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଏହା ଉପରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି । 

LEAVE A REPLY

Please enter your comment!
Please enter your name here