ଜୁଆ ଆଡ୍ଡା ଉପରେ ପୁଲିସର ଚଢଉ : ୮ ଗିରଫ, ୨୭ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ ।

0
38

ଟିଟିଲାଗଡ଼,୧୧/୦୪/୨୦୨୫(ଜେଏନ୍ଏସ୍), ଟିଟିଲାଗଡ଼ ବ୍ଲକପଡ଼ାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗତକାଲି ରାତିରେ ଟିଟିଲାଗଡ଼ ପୁଲିସ ସଦଳବଳ ଅତର୍କିତ ଚଢ଼ଉ କରି ୮ଜଣ ଜୁଆରିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨୭ହଜାର ୪୪୦ଟଙ୍କା ଜବତ କରିଛି । ଘଟଣାରୁ ପ୍ରକାଶ ଯେ, କୌଣସି ସୁତ୍ରରୁ ଖବର ପାଇ ଟିଟିଲାଗଡ଼ ଥାନାଧିକାରୀ କଲ୍ୟାଣୀ ବେହେରା, ଏସ୍.ଆଇ. କିରଣ କୁମାର ଜାନୀ, ଏସ୍.ଆଇ. ପ୍ରଦୀପ କୁମାର ଦୁରିଆ, ଏ.ଏସ୍.ଆଇ କାର୍ତ୍ତିକ ପ୍ରଧାନ ସଦଳବଳ ଗତକାଲି ବିଳମ୍ବିତ ରାତ୍ରୀରେ ଟିଟିଲାଗଡ଼ ବ୍ଲକପଡ଼ା ସ୍ଥିତ ସନ୍ତୋଷ କୁମାର ନାଏକ ଓରଫ ଗେଜା (୪୦)ଙ୍କ ଘର ଭିତରେ ଜୁଆ ଖେଳ ଚାଲିଥିବା ସମୟରେ ଚଢ଼ଉ କରିଥିଲେ । ପୁଲିସ ସମସ୍ତଙ୍କୁ ଘେରି ୮ଜଣ ଜୁଆରିଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଘର ମାଳିକ ସନ୍ତୋଷ ଓରଫ ଗେଜା ଫେରାର ମାରିଥିଲା । ସେମାନଙ୍କ ଠାରୁ ନଗଦ ୨୭ହଜାର ୪୪୦ଟଙ୍କା, ୧୦ପୁଡ଼ା ତାସ, ଜୁଆରିମାନଙ୍କ ୩ଟି ମୋବାଇଲ, ଗୋଟିଏ ୟାମା ବାଇକ, ଗାଡ଼ି ନମ୍ବର ଓଡି-୦୮-ଆର ୯୩୨୭ ଓ ଗୋଟିଏ ବଜାଜ ପଲସର ଗାଡ଼ି ନମ୍ବର ଓଡି-୦୩-ଏଏ ୨୩୭୧ ବିଶିଷ୍ଟ ୨ଟି ବାଇକ ଜବତ କରିଥିଲା । ଏ ନେଇ ପୁଲିସ ଏକ ମାମଳା ରୁଜୁ କରି ଗିରଫ ହୋଇଥିବା ସ୍ଥାନୀୟ ଦେଓବନ୍ଧ ପଡ଼ାର ସେରସନ ଛତ୍ରିଆ (୩୫), ସିରଭଟା ପଡ଼ାର ମନୋଜ କୁମାର ବାବୁ (୪୫) ଓ ଉପେନ୍ଦ୍ର ବାଗ (୩୫), ମାଳଗୋଦାମ ପଡ଼ାର ଶେର ଖାନ (୩୦), ଘଣ୍ଟାସୁନୀ ମନ୍ଦିର ପଡ଼ାର ଗଙ୍ଗାଧର ଭୋଇ (୪୦), ଟିଟିଲାଗଡ଼ ମନିଗାଁ ପଞ୍ଚାୟତ ନାନାଝର ଗ୍ରାମର କ୍ଷେତ୍ର ବାଗ (୪୦), ସିନ୍ଧେକେଲା ଥାନା ଅଧିନସ୍ଥ କୁଶକେଲା ଗ୍ରାମର ଯଶୋବନ୍ତ ବାଗ (୪୦) ଓ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅଧିନସ୍ଥ ସୌପୁର ଗ୍ରାମର ସୁକାନ୍ତ ସାହୁ (୪୯) ପ୍ରମୁଖ ୮ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି । ତେବେ ଫେରାର ଅଭିଯୁକ୍ତ ସନ୍ତୋଷ କୁମାର ନାଏକ ଓରଫ ଗେଜା ଖୁବ ଶୀଘ୍ର ଗିରଫ ହେବ ବୋଲି ଥାନାଧିକାରୀ ଶ୍ରୀମତୀ ବେହେରା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here