ଡାକ୍ତରଖାନା ଲିଫ୍ଟରେ ଫସିଗଲେ ଡାକ୍ତର, ଉଦ୍ଧାର କଲା ଅଗ୍ନିଶମ ବିଭାଗ

0
73

ଟିଟିଲାଗଡ଼,୧୦/୦୭/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟ (ଏମସିଏଚ) ଠାରେ ଲିଫ୍ଟରେ ୧ ଘଣ୍ଟାରୁ ଉର୍ଦ୍ଧ ସମୟ ଯାଏ କାର୍ଯ୍ୟରତ ଡାକ୍ତର ଫସି ରହିଥିବା ଦେଖିବାକୁ ମିଳିଛି । ଏଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଦମକଳ ବାହିନୀକୁ ନାକେଦମ୍ ହେବାକୁ ପଡ଼ିଛି । ସୂଚନା ଅନୁଯାୟୀ ମଙ୍ଗଳବାର ରାତି ୧୦ ଘଣ୍ଟା ସମୟରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର କିରଣମୟୀ ପଣ୍ଡା ଡାକ୍ତରଖାନା ପରିସରରେ ଲାଗିଥିବା ଲିଫ୍ଟରେ ଯାଉଥିବାବେଳେ ହଠାତ୍ ଏହା ଅଚଳ ହୋଇପଡ଼ିଥିଲା । ଫଳରେ ଡାକ୍ତର ପଣ୍ଡା ୧ ଘଣ୍ଟାରୁ ଉର୍ଦ୍ଧ ସମୟ ଯାଏ ଲିଫ୍ଟ ମଧ୍ୟରେ ଫସି ରହିଥିଲେ । ପ୍ରଥମେ କାର୍ଯ୍ୟରତ ଅନ୍ୟ କର୍ମଚାରୀ ଓ ଡାକ୍ତର ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବାପରେ ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ପାଇ ଅଗ୍ନିଶମ ବିଭାଗ ପହଞ୍ଚି କଟର ସାହାଯ୍ୟରେ ଲିଫ୍ଟର ଦ୍ଵାରକୁ କାଟି ତାଙ୍କୁ ଉଦ୍ଧାର କରିଥିଲେ । ତେବେ ଡାକ୍ତର ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ ସୁସ୍ଥ ରହିଥିବା ସୂଚନା ମିଳିଛି ।ତେବେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ କୋଠାକୁ ଏମ୍.ସି.ଏଚ୍ ସ୍ଥାନାନ୍ତରିତ ହେବାର ମାତ୍ର ବର୍ଷକ ମଧ୍ୟରେ ଏଭଳି ଅଭାବନୀୟ ଘଟଣା ଘଟିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here