ଟିଟିଲାଗଡ଼,୮/୯(ଜେଏନଏସ), ପୂର୍ବତନ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ(୬୮) ଙ୍କ ସୋମବାର ଚେନ୍ନାଇ ସ୍ଥିତ ମହାତ୍ମାଗାନ୍ଧୀ ମେମୋରିଆଲ ହସ୍ପିଟାଲ ଠାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ସ୍ୱର୍ଗତ ଢୋଲକିଆ ଏକାଧିକ ରୋଗରେ ପୀଡ଼ିତ ଥିବାବେଳେ ତାଙ୍କ ହାର୍ଟ ଟ୍ରାନସପ୍ଳାଣ୍ଟ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ସ୍ଥିତି ଗୁରୁତର ହେବାସହ ସକାଳ ୮ ଘଣ୍ଟା ସମୟରେ ପରଲୋକ ଘଟିଥିଲା। ସ୍ୱର୍ଗତ ଢୋଲକିଆ ୪ ଥର ବିଧାୟକ ଥିଲେ । ଚେନ୍ନାଇରୁ ତାଙ୍କ ପାର୍ଥବ ଶରୀର ଖରିଆର ରୋଡ଼ ସ୍ଥିତ ବାସ ଭବନକୁ ଅଣା ଯାଉଥିବା ଏବଂ ମଙ୍ଗଳବାର ତାଙ୍କ ଶେଷକୃତ୍ୟ ଅନୁଷ୍ଠିତ କରାଯିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱର୍ଗତ ଢୋଲକିଆଙ୍କ ବିୟୋଗରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ପୌର ଅଧ୍ୟକ୍ଷା ମମତାଦେବୀ ଜୈନ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସାଂସଦ ପ୍ରତିନିଧି ରମେଶ ଅଗ୍ରୱାଲ, ଗୁଜରାତି ସମାଜ ସଭାପତି ହରିଶ ରାୟଠାଟା, ଇପିଏ ସମ୍ପାଦକ ସନ୍ତୋଷ କେଜ୍ରିୱାଲ, ହିନ୍ଦୁସ୍ଥାନ ସିଡସ୍ ନିର୍ଦେଶକ କ୍ରିଷ୍ଣା କୁମାର କେଜ୍ରିୱାଲ ପ୍ରମୁଖଙ୍କ ସହ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି ।