କୋଷାଗାର ନିର୍ଦ୍ଦେଶାଳୟ ସାଂସ୍କୃତିକ ପରିଷଦ, ଭୁବନେଶ୍ଵରର ବାର୍ଷିକ ଉତ୍ସବ ଅନୁଷ୍ଠିତ : ପ୍ରଶଂସା ସାଉଁଟିଲା ସାମାଜିକ ନାଟକ ‘ଅକାହାଣୀ’

0
76

ଭୁବନେଶ୍ଵ୨୪/୦୬(ଜେଏନ୍ଏସ୍), ସାଂସ୍କୃତିକ ଉତ୍ସବ ଆମ ଜୀବନଚର୍ଯ୍ୟାକୁ ଋଦ୍ଧିମନ୍ତ ଏବଂ ଭ୍ରାତୃଭାବକୁ ସୁଦୃଢ କରିଥାଏ । ଜୀବନକୁ ଏହା ଆମୋଦଦାୟକ ଏବଂ ଅର୍ଥପୂର୍ଣ୍ଣ କରିଥାଏ । ନିଜ ଈପସିତ ସ୍ୱପ୍ନପୂରଣ ପାଇଁ ଏହା ନୂତନ ଆଶା ଓ ଶକ୍ତିର ସଞ୍ଚାର କରିଥାଏ । କୋଷାଗାର ନିର୍ଦ୍ଦେଶାଳୟ ସାଂସ୍କୃତିକ ପରିଷଦ, ଭୁବନେଶ୍ଵରର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏଭଳି କହିଛନ୍ତି ଓଡ଼ିଶା ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ।

ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ କୋଷାଗାର ନିର୍ଦ୍ଦେଶାଳୟ ସାଂସ୍କୃତିକ ପରିଷଦର ପଞ୍ଚଦଶତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଟ୍ରେଜେରୀ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରୂପନାରାୟଣ ଦାସଙ୍କ ତତ୍ତ୍ୱାବଧାନରେ କର୍ମକର୍ତ୍ତାମାନେ ଦୀର୍ଘଦିନ ପରେ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ଶ୍ରୀ ଦେବ ସେମାନଙ୍କୁ ସାଧୁବାଦ ଜଣାଇଥିଲେ ଏବଂ ଏହାକୁ ମନଭରି ଉପଭୋଗ କରିବାକୁ କହିଥିଲେ । ସମ୍ମାନିତ ଅତିଥି ଭାବେ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଯାମିନୀ ଷଡଙ୍ଗୀ ଯୋଗ ଦେଇ କୋଷାଗାର ନିର୍ଦ୍ଦେଶାଳୟ ସାଂସ୍କୃତିକ ପରିଷଦର ବହୁବିଧ କାର୍ଯ୍ୟକ୍ରମ ଏବଂ ପୁରାତନ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ପରମ୍ପରାର ପ୍ରଶଂସା କରିଥିଲେ ଏବଂ ଆଗକୁ ଏହା ଜାରି ରଖୁବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ତଥା ଅର୍ଥ ବିଭାଗ ହିସାବ ନିୟନ୍ତ୍ରକ ଶ୍ରୀ ଅଶୋକ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମର ବିଭାଗର ଅଧିକାରୀ, କର୍ମଚାରୀ, ପୂର୍ବତନ ଅଧିକାରୀ ଏବଂ ସେମାନଙ୍କ ପରିବାରବର୍ଗ ବହୁସଂଖ୍ୟାରେ ଯୋଗ ଦେଇଥ‌ିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ସଫଳ ଆୟୋଜନ ପାଇଁ ପରିଷଦର କର୍ମକର୍ତ୍ତାମାନଙ୍କ ଉଚ୍ଚ ପ୍ରଶଂସା କରିଥିଲେ । ଦୁଇଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ଵଳନ ଓ ମନ୍ତ୍ରପାଠ ମଧ୍ୟରେ ଆନୁଷ୍ଠାନିକ ଉଦଘାଟନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ପରେ ପରେ କେନ୍ଦ୍ରୀୟ ବିଦ୍ୟାଳୟ -୩ର ଛାତ୍ରଛାତ୍ରୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ ଏବଂ କୋଷାଗାର ନିର୍ଦ୍ଦେଶାଳୟ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ସଭାପତି ଶ୍ରୀ ଗୋବର୍ଦ୍ଧନ ସାହୁଙ୍କ ଦ୍ୱାରା ସ୍ୱାଗତ ଅଭିଭାଷଣ ପ୍ରଦାନ କରାଯାଇଥିଲା । ପରିଷଦର ସମ୍ପାଦକ ଶ୍ରୀ ଅନୁପ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ମଞ୍ଚାସୀନ ଅତିଥିମାନଙ୍କୁ ଉପଢୌକନ ଏବଂ ଉତ୍ତରୀୟ ପ୍ରଦାନପୂର୍ବକ ସମ୍ବଦ୍ଧିତ କରାଯାଇଥିଲା । ଏହି ଅବସରରେ ପରିଷଦ ପକ୍ଷରୁ ପ୍ରକାଶିତ ସ୍ମରଣିକା ‘ପୁଣ୍ୟତୋୟା’କୁ ଅତିଥିମାନେ ଉନ୍ମୋଚନ କରିଥିବା ବେଳେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା କୃତୀ ପ୍ରଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ହରପ୍ରିୟା ପାଣିଗ୍ରାହୀ ମଞ୍ଚ ସଂଚାଳନ କରିଥିଲେ ଏବଂ ଶ୍ରୀମତୀ ଅପରାଜିତା ବେସନ ଧନ୍ୟବାଦ ଅର୍ପଣ କରିଥିଲେ ।

ସଭାକାର୍ଯ୍ୟ ଶେଷ ପରେ କୋଷାଗାର ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ଅଭିନୀତ ସାମାଜିକ ନାଟକ ‘ଅକାହାଣୀ’ ପରିବେଷିତ ହୋଇଥିଲା । ନାଟକର ବିଷୟବସ୍ତୁ ଏବଂ କଳାକାରମାନଙ୍କ ଉଚ୍ଚକୋଟୀର ଅଭିନୟ ଦର୍ଶକମାନଙ୍କ ଦ୍ୱାରା ଆଦୃତ ହେବା ସହ ବେଶ ପ୍ରଶଂସା ସାଉଁଟିଥିଲା । ଆସନ୍ତା କାଲି ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ନେଇ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here