ବଲାଙ୍ଗୀରରେ ଉପର ମୁହାଁ ପାରଦ, ଆଗକୁ ସ୍ଥିତି ଅସମ୍ଭାଳ ନେଇ ଆଶଙ୍କା

0
117

ବଲାଙ୍ଗିର(ଜେଏନଏସ), ବଲାଙ୍ଗିର ଜିଲ୍ଲାରେ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ମାର୍ଚ୍ଚ ମାସରୁ କ୍ରମାଗତ ଭାବରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଆସୁଛି । ଦୁଇମାସ ହେଲା ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରିରହିଛି । ଚଳିତ ମାସର ପ୍ରାୟଦିନ ୪୦ଡିଗ୍ରୀ ଉପରେ ତାପମାତ୍ରା ରହି ମାସ ଶେଷବେଳକୁ ପାରଦ ବଢ଼ି ୪୬ ଡିଗ୍ରୀ ଅତିକ୍ରମ କରିଛି। ଗତ ବୁଧବାର ଦିନ ବଲାଙ୍ଗିର ସହରର ତାପମାତ୍ରା ୪୬.୬ ଡିଗ୍ରୀ ରହିଥିଲା । କେବଳ ସେତକି ନୁହେଁ, ଗତ କିଛିଦିନ ହେଲା ଦିନବେଳା ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ରାତିରେ ମଧ୍ୟ ଝାଞ୍ଜିପବନ ବହୁଛି । ଅପରପାର୍ଶ୍ୱରେ ବାରମ୍ବାର ବିତ୍ୟୁତ ବିଭ୍ରାଟ ଯୋଗୁଁ ସହରବାସୀ ଅତିଷ୍ଟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ପ୍ରବଳ ଗ୍ରୀଷ୍ମପ୍ରବାହ କାରଣରୁ ଗତ ୪ଦିନ ହେଲା ଜିଲ୍ଲାର ହାରାହାରୀ ତାପମାତ୍ରା ୪୫ ଡିଗ୍ରୀ ସେଲସିଅସ ରହୁଛି । ଗତମାସରେ  ବଲାଙ୍ଗିର ସହର ନିକଟସ୍ଥ ଖୁଜେନପାଲିର ୩୦ବର୍ଷିୟ ଯୁବକ ତ୍ରୀନାଥ ବକୁଳଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିଲା । ଅନେକ ସ୍ଥାନରେ ଜଳ ସଂକଟ ମଧ୍ୟ ଦେଖାଦେଇଛି । ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନିୟନ୍ତ୍ରଣ ଓ ଜଳସଂକଟକୁ ମୁକାବିଲା କରିବାକୁ ଅନେକ ପ୍ରକାର ଯୋଜନା ପ୍ରସ୍ତୁତ ହୋଇଥିଲେ ହେଁ, ତାକୁ ପ୍ରଶାସନ ଠିକରେ କାର୍ଯ୍ୟକାରୀ କରୁନଥିବାରୁ ଅନେକ ସମୟରେ ଅବ୍ୟବସ୍ଥା ଦେଖାଦେଉଛି । ସହରର ଯେଉଁ ରାସ୍ତାର ଉନ୍ନତିକରଣ କରାଯାଉଛି ଓ ଗଛ କଟାଯାଉଛି ସେହି ରାସ୍ତାକଡରେ ବନୀକରଣ କରିବାର ଯୋଜନା ରହିଛି । କିନ୍ତୁ ବଲାଙ୍ଗୀର-ସମ୍ବଲପୁର ଜାତୀୟ ରାଜପଥ-୨୬ରେ ଗୋଟିଏ ମଧ୍ୟ ଗଛରୋପଣ କରାଯାଇ ନାହିଁ । ବଲାଙ୍ଗୀର ସହରରେ ରାଜୁଡ଼ା ଅମଳରୁଥିବା ରାସ୍ତାକଡ଼ର ଗଛ ସବୁ କାଟି ଦିଆଗଲା । ଏହା ବଦଳରେ ପ୍ରଶାସନ ୧୦ଗୁଣା ଗଛ ରୋପଣ କରିବାକୁ ପ୍ରତିଶୃତି ଦେଇଥିଲା । କିନ୍ତୁ ଗତ ୬ ବର୍ଷରେ ମଧ୍ୟ ପ୍ରଶାସନ ସହର ଭିତରେ ଗୋଟିଏ ମଧ୍ୟ ଗଛ ରୋପଣ କରି ବଞ୍ଚାଇ ପାରିଲା ନାହିଁ । ଫଳରେ ସହରଟି ବର୍ତ୍ତମାନ ମରୁଭୂମୀ ଭଳି ରହିଛି । ବଲାଙ୍ଗିର କଚେରୀ ଛକରୁ ଲାଲଟିକ୍ରା ପର୍ଯ୍ୟନ୍ତ ପ୍ରାୟ ୪କିମି ରାସ୍ତାରେ ଗୋଟିଏ ମଧ୍ୟ ଗଛନାହିଁ । ସୌରରଶ୍ମୀ ବିକିରଣ ହୋଇ ସହରର ତାପମାତ୍ରା ବୃଦ୍ଧି ଘଟୁଛି । ଏବେ ପାଟଣାଗଡରୁ ଖପ୍ରାଖୋଲ, ହରିଶଙ୍କର ଓ  ପଦ୍ମପୁର ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ କାମ ଚାଲୁଛି । ଏଥିପାଇଁ ରାସ୍ତା କଡ଼ର ପ୍ରାୟ ୪୦୦୦ରୁ ଉର୍ଦ୍ଧ୍ୱ ଗଛ କଟା ଯାଇସାରିଛି । ସ୍ଥାନୀୟ ଲୋକେ ରାସ୍ତା ପ୍ରସସ୍ତିକରଣ ବେଳେ ଗଛଗୁଡିକୁ ରାସ୍ତାର ମଧ୍ୟ ଭାଗରେ ରଖି ଉଭୟ ପଟେ ରାସ୍ତାନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ପ୍ରଶାସନ ତାହା ଶୁଣିଲା ନାହିଁ । ଫଳରେ ଏବେ ଗ୍ରୀଷ୍ମଦିନେ ଏହି ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଛାଇ ନପାଇ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେପଟେ ଜିଲ୍ଲାରେ ବ୍ୟାପକ ବନୀକରଣ ପାଇଁ ବର୍ଷକୁ ୨୦କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଉଛି । ସେଥିରୁ ସିଂହଭାଗ ବନବିଭାଗର ଅଧିକାରୀମାନଙ୍କ ଦ୍ୱାରା ଚଳୁ କରିଦିଆଯାଉଛି ବୋଲି ଅଭିଯୋଗ ଉଠିଛି । ଏଭଳି ସ୍ଥିତିରେ ଜିଲ୍ଲାରେ ଜଙ୍ଗଲ ପରିମାଣ କମିଚାଲିଛି ଓ ବର୍ଷକୁ ବର୍ଷ ତାପମାତ୍ରା ବଢିଚାଲିଛି । ଗତ ୨୦୦୨ ମସିହାରେ ବଲାଙ୍ଗୀର ଜିଲ୍ଲାର ସର୍ବାଧିକ ତାପମାତ୍ରା ୫୦ଡିଗ୍ରୀ ରେକର୍ଡ କରାଯାଇଥିଲା । ଚଳିତବର୍ଷ ପୁଣିଥରେ ତାପମାତ୍ରା ୪୮ରୁ ୪୯ ଡିଗ୍ରୀକୁ ଛୁଇଁବ ବୋଲି ଆକଳନ କରାଯାଉଛି । ଏବେ ଦେଶରେ ଗ୍ରୀଷ୍ମଲହରୀ ଜାରିରହିଛି । ଦିଲ୍ଲୀରେ ୫୨ଡିଗ୍ରୀ ଉପରେ ତାପମାତ୍ରା ରହୁଛି । ଠିକ ସେହିଭଳି ଭୁବନେଶ୍ୱର ଭଳି ସହରରେ ମଧ୍ୟ ତାପମାତ୍ରା ୪୫ ଡିଗ୍ରୀ ରହିଲାଣି । ବୃଦ୍ଧି ପାଉଥିବା ତାପମାତ୍ରାକୁ ସନ୍ତୁଳିତ କରିବାକୁ ପରିବେଶ ପ୍ରତି ସଚେତନ ହୋଇ ବ୍ୟାପକ ପରିମାଣରେ ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି ବୋଲି ପରିବେଶବିତ ମାନେ ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here