ବଜେଟ୍ ୨୦୨୪ : ବଜେଟ୍‌ରେ ଆନ୍ଧ୍ର ଓ ବିହାରକୁ ଅନୁକମ୍ପା, ଓଡ଼ିଶାକୁ ଅଣଦେଖା !

0
100

ଟିଟିଲାଗଡ଼୨୩/୦୭(ଜେଏନ୍ଏସ୍) :  ବଜେଟରେ ଆନ୍ଧ୍ର ଓ ବିହାରକୁ ସିଂହଭାଗ । ହେଲେ ଓଡ଼ିଶାକୁ ମିଳିଲା ଆଣଦେଖା । ବଜେଟ ଅନୁଦାନକୁ ନେଇ ତେଜିଛି ରାଜନୀତି । ଏନଡିଏ ସାଥିରେ ଥିବା ନୀତୀଶ କୁମାର ଓ ନାଇଡୁଙ୍କ ପାଇଁ ବଜେଟରେ ସିଂହଭାଗର ପସରା ଖୋଲି ଦେଇଛନ୍ତି ଅର୍ଥ ମନ୍ତ୍ରୀ । କିନ୍ତୁ ଓଡ଼ିଶାକୁ କିଛି ନାହିଁ ବୋଲି କହିଛନ୍ତି ବିରୋଧୀ । ହେଲେ ବିଜେପି କହିଛି, ପୋଲାଭରମ ପ୍ରକଳ୍ପ କ୍ଷତିକାରକ ହେଲେ ଓଡିଶା ସରକାର ଚିନ୍ତା କରିବେ।  ବଜେଟରେ ବିହାର ଓ ଆନ୍ଧ୍ର ପାଇଁ ଅର୍ଥ ବର୍ଷାକୁ ନେଇ ଗୃହରେ ହୋହଲ୍ଲା । ଏନଡିଏ ସହଯୋଗୀ ରାଜ୍ୟ ପାଇଁ ଅଣ୍ଟି ଝାଡ଼ି ଦିଆଯାଇଛି । ବିହାରରେ ରାସ୍ତାଘାଟ, ବ୍ରିଜ୍, ବିମାନ ବନ୍ଦର ଏବଂ ମେଡିକାଲ୍ କଲେଜ୍ ପାଇଁ ମିଳିଛି ୨୬ ହଜାର କୋଟି ଏବଂ ଭାଗଲପୁରର ପିରପଇନ୍ତିରେ ୨୪ ଶହ ମେଗାୱାଟର ଶକ୍ତି ପ୍ରକଳ୍ପ କରାଯିବ। ଗୟା, ମହାବୋଧି ଓ ରାଜଗିରରେ ମନ୍ଦିର କରିଡର୍ ଏବଂ ନାଳନ୍ଦା ହେବ ପର୍ଯ୍ୟଟନ କେନ୍ଦ୍ର  । ବନ୍ୟା ନିୟନ୍ତ୍ରଣ ପାଇଁ ଖର୍ଚ୍ଚ ହେବ ସାଢ଼େ ୧୧ ହଜାର କୋଟି ଟଙ୍କା । ସେହିପରି ଅମରାବତୀରେ ଆନ୍ଧ୍ରର ରାଜଧାନୀ ନିର୍ମାଣ ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ରାଜ୍ୟକୁ ୧୫ ହଜାର କୋଟି ଟଙ୍କା ବ୍ୟବସ୍ଥା ହେବ । ଆଉ ପୋଲାଭରମ ପ୍ରକଳ୍ପ ନିର୍ମାଣ ଖୁବଶୀଘ୍ର ଶେଷ କରାଯିବ ବୋଲି କହିଛନ୍ତି ସରକାର । ଅର୍ଥମନ୍ତ୍ରୀ କହିଛନ୍ତି ପୂର୍ବୋଦୟ ବିକାଶକୁ ଗୁରୁତ୍ଵ ଦିଆଯାଇଛି।ଏହି ଯୋଜନାରେ ବିହାର, ଆନ୍ଧ୍ର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରହିଛି । ହେଲେ ବିହାର ଓ ଆନ୍ଧ୍ର ପାଇଁ ଯେପରି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ସେପରି କିଛି ଓଡ଼ିଶା ପାଇଁ ନାହିଁ । ଆଉ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବାରୁ କକ୍ଷତ୍ୟାଗ କରିଥିଲା ବିଜେଡି । ସାଂସଦ ସସ୍ମିତ ପାତ୍ର କହିଛନ୍ତି ଆନ୍ଧ୍ର ଓ ବିହାରକୁ ସ୍ୱତନ୍ତ୍ର ଅନୁଦାନ ମିଳିଥିବା ବେଳେ ଓଡ଼ିଶାକୁ ବିଚାରକୁ ନିଆଯାଇନି । ଓଡ଼ିଶାରୁ ୨୧ ରୁ ୨୦ ସାଂସଦ ଜିତିଛି ବିଜେପି । ହେଲେ ୨୧ ରୁ ୨୦ ସାଂସଦ ଜିତିବା ଓଡ଼ିଶା ପାଇଁ ଦଣ୍ଡ ସଦୃଶ୍ୟ । ବିଜେପି ମେଣ୍ଟ ଥିବା ଦୁଇ ରାଜ୍ୟକୁ ପୁରସ୍କାର ମିଳିଛି । ହେଲେ ଓଡ଼ିଶାକୁ ଦଣ୍ଡ ଦିଆଯାଇଛି । ସେହିପରି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ପୋଲାଭରମ ପାଇଁ କେନ୍ଦ୍ର ତତ୍ପରତା ଦେଖାଇ ଓଡ଼ିଶାର ସ୍ୱାର୍ଥକୁ ଆଘାତ କରାଯାଇଛି । ଆଉ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି ଓଡ଼ିଶାକୁ ଜାଣିଶୁଣି ବିଜେପି ସରକାର ଏବେ ବି ପଛୁଆ ତଥା ଗରିବ ରାଜ୍ୟ ରୂପେ ରଖିବାକୁ ଚାହୁଁଛନ୍ତି । ହେଲେ କେନ୍ଦ୍ର ପୂର୍ବୋଦୟ ବିକାଶ କହିଥିବା ବେଳେ ଓଡ଼ିଶାକୁ ଅନୁଦାନ ନଦେବା ଦୁଃଖର ବିଷୟ । ଆଉ ଜବାବ ଦେଇ ବିଜେପି ବିଧାୟକ ସନତ ଗଡ଼ତିଆ କହିଛନ୍ତି ପୋଲାଭରମ ପାଇଁ ଅର୍ଥ ଦିଆଯାଇଛି । ହେଲେ ଓଡ଼ିଶା ପାଇଁ କ୍ଷତିକାରକ ହେଲେ ରାଜ୍ୟ ସରକାର ଏ ଦିଗରେ ଚିନ୍ତା କରିବେ । ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଆସୁଥିଲା ତତ୍କାଳୀନ ସରକାର । ହେଲେ କେନ୍ଦ୍ର ଆଗ୍ରହ ଦେଖାଉ ନଥିଲେ। ଏବେ ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ ଦ୍ୱାରା ମାଲାକାନଗିରିର ଶତାଧିକ ଗାଁ ବୁଡିଯିବା ଅଭିଯୋଗ ହେଉଛି ।/

LEAVE A REPLY

Please enter your comment!
Please enter your name here