ନିମ୍ନମାନର ରାସ୍ତାକାମକୁ ବିରୋଧ କରିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

0
77

ଟିଟିଲାଗଡ଼,୧୬/୬(ଜେଏନ୍ଏସ୍), ଟିଟିଲାଗଡ଼ ଥାନା ଅନ୍ତର୍ଗତ ଖୋଲାନ ପଞ୍ଚାୟତ ଜାମପଡ଼ା ଗାଁ ରେ ନିମ୍ନମାନର ରାସ୍ତାକାମର ବିରୋଧକୁ ନେଇ ସ୍ଥାନୀୟ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି । ସୂଚନା ଅନୁଯାୟୀ ଜାମପଡ଼ା ଗ୍ରାମରେ ଚାଲୁଥିବା ରାସ୍ତାକାମ ଅତି ନିମ୍ନମାନର କରାଯାଉଥିବା ଦେଖି ସ୍ଥାନୀୟ ବାସିନ୍ଦା ହରିଶ୍ଚନ୍ଦ୍ର ବିଶି ସଂପୃକ୍ତ ଠିକାଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନିଜ ମୋବାଇଲରେ ଫଟୋ ଉଠାଇଥିଲେ । ଫଟୋ ଉଠାକୁ କେନ୍ଦ୍ରକରି ଗ୍ରାମର ତ୍ରିଲୋଚନ ନାଗଙ୍କ ସହ ପବିତ୍ର ନାଗ, ମନୋଜ ନାଗ, ଦିଲ୍ଲୀପ ନାଗ, ମୁରଲୀ ନାଗ ମିଳିତ ଭାବରେ ହରିଶ୍ଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ପରିବାର ଲୋକେ ହରିଶ୍ଚନ୍ଦ୍ରଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ।ଦୀର୍ଘ ସମୟଧରି ହରିଶ୍ଚନ୍ଦ୍ର ଅଚେତ ରହିଥିବା ବେଳେ ଘଟଣାକୁ ନେଇ ତାଙ୍କ ସ୍ତ୍ରୀ ସତ୍ୟଭାମା ବିଶି ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ କେବଳ ଠିକାଦାର ପୋଷାନୀତିରେ ସଂପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here