ମତଦାନ ପରେ ପେଟ ପାଇଁ ଦାଦନଙ୍କ ବାହୁଡ଼ା

0
59

ଟିଟିଲାଗଡ଼,୨୫/୭ (ଜେଏନ୍ଏସ୍), ସାଧାରଣ ନିର୍ବାଚନ ପର୍ବର ମତଦାନ ସରିବା ପରେ ଦାଦନଙ୍କ କର୍ମସ୍ଥଳୀକୁ ଲେଉଟାଣି ଆରମ୍ଭ ହୋଇଛି । ମତଦାନ ପାଇଁ ଘରମୁହାଁ ଦାଦନ ଏବେ ପେଟ ପାଇଁ ପୁଣି ନିଜ ନିଜ କର୍ମସ୍ଥଳୀକୁ ବହୁସଂଖ୍ୟାରେ ଫେରୁଥିବା ଟିଟିଲାଗଡ ରେଳଷ୍ଟେସନରେ ଦେଖିବାକୁ ମିଳୁଛି ।ଟିଟିଲାଗଡ ଓ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ରେଳ ଯୋଗେ ଦାଦନଙ୍କ ବାହୁଡ଼ାଯାତ୍ରା ଆରମ୍ଭ ହୋଇଛି। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଦାଦନ ପ୍ରବଣ ଜିଲ୍ଲା ଭାବରେ ବେଶ୍ ପରିଚିତ । ଏହି ଅଞ୍ଚଳରେ ସରକାରଙ୍କ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା ମଧ୍ୟ ଦାଦନ ରୋକିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି । କର୍ମନିଯୁକ୍ତି ସୁଯୋଗର ଅଭାବ ଯୋଗୁଁ ଏହି ଅଞ୍ଚଳରୁ ଅନ୍ୟ ରାଜ୍ୟକୁ ବହୁଲୋକ ଦାଦନ ଖଟିବାକୁ ଯାଇ ବାରମ୍ବାର ଅକଥନୀୟ ନିଯ୍ୟାତନାର ଶିକାର ହୋଇଥିବା ନଜିର ରହିଛି । ତେବେ ମାନବ ଚାଲାଣ ତଥା ଦାଦନ ସମସ୍ୟା ଆଧୁନିକ ସମାଜକୁ କଳୁଷିତ କରିବା ସହ ବର୍ତ୍ତମାନ ସମାଜରେ ଏକ ଗୁରୁତର ସମସ୍ୟା ଭାବରେ ମୁଣ୍ଡଟେକିଛି । ଜିଲ୍ଲାରେ ବୃଦ୍ଧି ପାଉଥିବା ଏହି ଗ୍ରାଫ୍ ଉପରେ ଅଙ୍କୁଶ ଲଗାଇବାକୁଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ମିଶନ ଉଦ୍ଧାର ଅଭିଯାନ କେବଳ କାଗଜ କଲମରେ ସିମୀତଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ଚଳିତ ନିର୍ବାଚନରେ ଦାଦନର ଗଡ କୁହାଯାଉଥିବା କଣ୍ଟାବାଞ୍ଜି ବିଧାନସଭା ଆସନରୁ ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ବେଳେ ଲୋକେ ପେଟ ପାଇଁ ଭିଟା ମାଟି ଛାଡ଼ି ଅନ୍ୟ ରାଜ୍ୟ ମୁହାଁ ହେବା ସାଧାରଣରେ ଆଲୋଡନ ସୃଷ୍ଟି କରୁଛି।

LEAVE A REPLY

Please enter your comment!
Please enter your name here