ଜମି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ ୨ ଗୁରୁତର ୧ ଗିରଫ

0
42

ଟିଟିଲାଗଡ଼,୨୮/୦୧/୨୦୨୫,(ଜେଏନ୍ଏସ୍),ଜମି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଗିରଫ ହୋଇ ଜେଲ ଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ  ସହରର ବିଶାଳ ମାର୍ଟ ସମ୍ମୁଖରେ୨ଜଣ ବ୍ୟକ୍ତି ବାଇକରେ ଆସି ପୂର୍ବତନ ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ମୁକେଶ ଜୈନ ଓ ତାଙ୍କ ପରିବାରର ସଦସ୍ୟ ଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ଏଥିରେ ୨ଜଣ ଗୁରୁତର ହୋଇ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ୩ ଜଣ ମହିଳା ଆହତ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ମୁକେଶଙ୍କ ଆଈଙ୍କ ନାମରେ ୬ ଡିସମିଲ ଜମି ରହିଥିଲା । ଉକ୍ତ ଜମିକୁ ମାପିବା ପାଇଁ ଅମିନ ନରୋତ୍ତମ ପ୍ରଧାନୀଙ୍କୁ ଧରି ମୁକେଶ ଯାଇଥିବା ବେଳେ ସେଠାରେ ଭରତ ଜୈନ (୫୩) ବାରଣ କରିବାରୁ ଉଭୟ ଫେରି ଆସିଥିଲେ । ପରେ ଭରତ ଓ  ରୋହିତ ଜୈନ (୨୫) ମୁକେଶଙ୍କ ଘରକୁ ଆସି ଗଣ୍ଡଗୋଳ କରିଥିଲେ । ଉଭୟଙ୍କ ମଧ୍ୟରେ ବଚସା ଘଟି ପାଟିତୁଣ୍ଡ  ହୋଇଥିଲା । ଏଥିରେ ରୋହିତ ଉତ୍ତ୍ୟକ୍ତ ହୋଇ ନିଜ ପକେଟରେ ଧରି ଥିବା ଲଙ୍କାଗୁଣ୍ଡ ମୁକେଶଙ୍କ ଭାଇ ରାଜେଶଙ୍କ ଆଖିରେ ଝିଣ୍ଟି ଦେଇଥିଲେ । ଏଥିସହ ମୁକେଶ ଓ ରଜେଶକୁ ନିସ୍ତୁକ ମାଡ଼ ମାରିଥିଲେ । ଏସଂପର୍କରେ ଖବର ପାଇ ଥାନାଧିକାରୀ ବିଶ୍ୱଜିତ ମନବୋଧ ଘଟଣାସ୍ଥଳ ପହଞ୍ଚି ଗୁରୂତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ପହଞ୍ଚାଇ ଥିଲେ । ଡାକ୍ତର ଉଭୟ ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଭୟେ ଛତିଶଗଡ଼ ରାଜ୍ୟର ରାୟପୁରକୁ ସ୍ଥାନାନ୍ତର ହୋଇଛନ୍ତି । ଅପରପାର୍ଶ୍ୱରେ ଭରତ ମଧ୍ୟ ମୁକେଶଙ୍କ ପରିବାର ପକ୍ଷରୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ପାଲଟା ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ପୃଥକ ୨ଟି ମାମଲା ରୁଜୁ କରିବା ସହ ରୋହିତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଜଣାଇଛନ୍ତି । ତେବେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ରୋହିତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here