ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ତିନିଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତ

0
90

ବଲାଙ୍ଗିର,୧୦/୦୭ (ଜେଏନ୍ଏସ୍), ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ବଲାଙ୍ଗିର ଜିଲ୍ଲାକୁ ୩ ଦିନିଆ ଗସ୍ତ କରିଛନ୍ତି। ଏହି ଅବସରରେ ଜିଲ୍ଲାର ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀଙ୍କ ଦ୍ଵାରା ଶୋଭାଯାତ୍ରା ଆୟୋଜିତ ହୋଇଥିବାବେଳେ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରୀ ସିଂ ଦେଓଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉପ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଭୁବନେଶ୍ୱରରୁ ଟ୍ରେନରେ ଆସି ବଲାଙ୍ଗିର ଷ୍ଟେସନରେ ଓହ୍ଲାଇ ସର୍କିଟ ହାଉସକୁ ପହଞ୍ଚିଥିଲେ । ରେଳଷ୍ଟେସନଠାରୁ ତାଙ୍କୁ ଦଳୀୟକର୍ମୀମାନେ ସ୍ୱାଗତଜଣାଇ ସର୍କିଟହାଉସକୁ ଆଣିଥିଲେ । ସେଠାରୁ ସେ ତାଙ୍କ ସରକାରୀ ଗାଡ଼ିରେ ନିଜ ଘର ପାଟଣାଗଡ଼ ରାଜଖମାରକୁ ଯାଇଥିଲେ । ପରେ ପାଟଣାଗଡ଼, ଲାଠୋର ଇତ୍ୟାଦି ଅଞ୍ଚଳରେ ହୋଇଥିବା ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ । ପାଟଣାଗଡ଼ ପହଞ୍ଚି ସେ ପାଟଣେଶ୍ୱରୀ, ଦଶମତି, ଜଗନ୍ନାଥ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ବୁଧବାର ଦିନ ସକାଳ ୧୦ଟାରେ ପାଟଣାଗଡ଼ରୁ ଆସି ବଲାଙ୍ଗିର ପଥରଚେପା ସ୍ଥିତ ଭାଜପାର ଜିଲ୍ଲାକାର୍ଯ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଥିଲେ ।

ସେଠାରୁ ଏକ ଭବ୍ୟ ମୋଟରସାଇକେଲ ଶୋଭାଯାତ୍ରାରେ ଶ୍ରୀ ସିଂଦେଓ, ତାଙ୍କ ଧର୍ମପତ୍ନୀ ତଥା ବଲାଙ୍ଗିର ସାଂସଦ ସଂଗୀତାକୁମାରୀ ସିଂଦେଓ, ଝିଅ ନିଭୃତିକୁମାରୀ ସିଂଦେଓ ମେୱାର ପ୍ରମୁଖଙ୍କୁ ନେଇ ସହର ପରିକ୍ରମା କରାଯାଇଥିଲା । ବରିଷ୍ଠ ଭାଜପାନେତା ଗୋପାଳଜୀ ପଣିଗ୍ରାହୀ ଓ ପୂର୍ବତନ କାଉନସିଲର ପିତାମ୍ବର ଖମାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଶତାଧିକ ଦଳୀୟ କର୍ମୀ ଯୋଗଦେଇଥିଲେ । ସ୍ଥାନୀୟ ଠିକଦାରପଡ଼ା ଛକଠାରେ ଭାଜପାର ଯୁବନେତା ଅନନ୍ତ ଦାସ, ଅନୀଲ ପାଣିଗ୍ରାହୀ, ବଡ଼ବାବୁ ସେଲମା ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଯୁବକ କନକ ଓ ସଂଗୀତାଙ୍କୁ ସ୍ୱାଗତ ଜଣାଇଥିଲେ । ଏଠାରେ ସେମାନେ ଶୈଳଶ୍ରୀ ପ୍ୟାଲେସକୁ ଯାଇ ମନ୍ଦିରଦର୍ଶନ କରିଥିଲେ । ଦିନ ୧୧.୩୦ରେ ଉପମୁଖ୍ୟମନ୍ତ୍ରୀ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଥିବା ଓସୱାନ ସେଣ୍ଟରରେ ଭିଡିଓ କନଫରେନ୍ସିଂରେ ରାଜ୍ୟ ମନ୍ତ୍ରୀମଣ୍ଡଳର କ୍ୟାବିନେଟ ବୈଠକରେ ଯୋଗଦେଇଥିଲେ । କନକବର୍ଦ୍ଧନଙ୍କ ଜିଲ୍ଲା ଗସ୍ତ ସମୟରେ ସମ୍ବଲପୁର ଡିଆଇଜି ହିମାଂଶୁ ଲାଲ, ବଲାଙ୍ଗିର ଜିଲ୍ଲାପାଳ ଶୀବାଜୀ ଗୌରବ ଇସଲୱାର, ଏସପି ଋଷିକେଶ ଖିଲାରୀ, ସଦରଏସଡିପିଓ ପ୍ରଦୀପ କୁମାର ସାହୁ ଓ ଥାନାଧିକାରୀମାନେ ଉପସ୍ଥିତ ଥିଲେ । ବୈଠକ ସାରି ଶ୍ରୀ ସିଂ ଦେଓ ପାଟଣେଶ୍ୱରୀ ଓ ସମଲେଶ୍ୱରୀ ମନ୍ଦିର ଦର୍ଶନ କରିଥିଲେ । ଏଥିସହ ସ୍ଥାନୀୟ ଜଗନ୍ନାଥ ପଡ଼ାର ଜଗନ୍ନାଥମନ୍ଦିର ପରିସରରେ ୮୪ଘର ଅଘରିଆ ସମାଜ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମଧ୍ୟ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here