ଟିଟିଲାଗଡ଼(ଜେଏନ୍ଏସ୍), ଟିଟିଲାଗଡ଼ ଥାନା ଅନ୍ତର୍ଗତ ବିଜେପୁର ଧାନମଣ୍ଡିରେ କାର୍ଯ୍ୟରତ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଥୁବଡିଙ୍ଗ ଗ୍ରାମ ନିବାସୀ ଦୁର୍ବଳ ମାଝିଙ୍କ ପୁତ୍ର ସୂର୍ଯ୍ୟମଣି ମାଝି ବିଜେପୁର ଧାନ ମଣ୍ଡିରେ ପିଅନ ଭାବରେ କାର୍ଯ୍ୟରତ ଥିଲେ । ବୁଧବାର ଦିନ ୧୨.୩୦ ମିନିଟ୍ ସମୟରେ ସେ ମଣ୍ଡିରୁ ମଧ୍ୟାହ୍ନ ଭୋଜନ ପାଇଁ ବାଇକ ଯୋଗେ ନିଜ ଘରକୁ ଯାଉଥିବା ବେଳେ ଘୁଘୁରପଲା ଗ୍ରାମ ଛକ ଠାରେ ୨ ଜଣ ବ୍ୟକ୍ତି ତାଙ୍କୁ ଅତର୍କିତ ଭାବରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ । କିଛି ସମୟ ପରେ ପରିବାର ସଦସ୍ୟ ଖବର ପାଇ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ତେବେ ୨ ଜଣ ଦୃର୍ବୁତ୍ତଙ୍କ ମଧ୍ୟରୁ ସୂର୍ଯ୍ୟମଣି ଜଣକୁ ଚିହ୍ନି ପାରି ପରିବାର ସଦସ୍ୟଙ୍କୁ ଜଣାଇଥିବା ମୃତକଙ୍କ ଭଉଣୀ ପଦ୍ମାବତୀ ମାଝି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆକ୍ରମଣକାରୀଙ୍କ ମଧ୍ୟରେ ଦେଓ ଗାଁ ଥାନା ଅନ୍ତର୍ଗତ ଜୁଲିଆ ଗାଁ ର ଅଶୋକ ହରପାଲ ଓ ଅନ୍ୟଜଣେ ମୁଖା ପିନ୍ଧା ବ୍ୟକ୍ତି ଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ସନ୍ଧ୍ୟା ହୋଇଥିବା ଯୋଗୁଁ ମୃତକଙ୍କ ଶବକୁ ଶବସଂରକ୍ଷିତ ଗୃହରେ ରଖାଯାଇଛି । ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି । ଜିଲ୍ଲା ଆଦିବାସୀ ସଂଘ ଅଭିଯୁକ୍ତକୁ ଗିରଫ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛି।Important: Unauthorized Copying Prohibited
This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.
For permissions or inquiries, please contact us directly.