ଡ୍ରେନ ନିର୍ମାଣରେ ଅନିୟମିତତାକୁ ନେଇ ତେଜୁଛି ଅସନ୍ତୋଷ ; ବିନା କାର୍ଯ୍ୟରେ ବିଲ ପାସ

0
167

ଟିଟିଲାଗଡ଼,୦୫/୦୬/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୬ ଠାରେ ଡ୍ରେନ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ନିର୍ଦ୍ଧାରିତ କାର୍ଯ୍ୟ ମଧ୍ୟରେ ନିମ୍ନମାନର କାର୍ଯ୍ୟ କରାଯିବା ସହ କିଛି କାର୍ଯ୍ୟ ଆଦୌ କରା ନ ଯାଇ ବିଲ ପାସ କରାଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ସହରର ୱାର୍ଡ ନଂ-୬ ଅନ୍ତର୍ଗତ ପୁରୁଣା ବ୍ୟାଙ୍କ ଛକ ଠାରୁ ଶାସ୍ତ୍ରୀ ଛକ ଏବଂ ହସ୍ପିଟାଲ ଛକ ଠାରୁ ଧର୍ମଶାଳା ସଂଲଗ୍ନ ରାସ୍ତା ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ ପାଇଁ ପୌରପରିଷଦ ପକ୍ଷରୁ ୯ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର ଆହ୍ଵାନ କରାଯାଇଥିଲା । ସ୍ଥାନୀୟ କିଶୋର ଅଗ୍ରୱାଲ ନାମକ ଠିକାଦାର ଟେଣ୍ଡର ହାସଲ କରିବା ସହ ଏହି କାର୍ଯ୍ୟ ତୁଲାଇଥିଲେ।ତେବେ ସହରର ମୁଖ୍ୟ ଜନଗହଳି ପୂର୍ଣ୍ଣ ଏହି ରାସ୍ତା ପାର୍ଶ୍ଵ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ହିଁ ସଂପୃକ୍ତ ଠିକାଦାର କାର୍ଯ୍ୟର ମାନ ଅନୁଯାୟୀ ନିର୍ଦ୍ଧାରିତ ୮ ଓ ୧୦ ଏମ୍ ଏମ୍ ପରିବର୍ତ୍ତେ ୬ ଏମ୍ ଏମ୍ ର ଲୁହା ଛଡ଼ ବ୍ୟବହାର କରୁଥିବା ନେଇ ସ୍ଥାନୀୟ ଲୋକେ ଭିଡିଓ ଉତ୍ତୋଳନ କରିବା ସହ ଅଭିଯୋଗ କରିଥଲେ । ତେବେ ସମସ୍ତ ଅଭିଯୋଗ ଓ ବିବାଦ ସତ୍ତ୍ୱେ ମଧ୍ୟ ସଂପୃକ୍ତ ଠିକାଦାର ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ । ଅପରପକ୍ଷରେ ଟେଣ୍ଡର ଅନୁଯାୟୀ ଏହି କାର୍ଯ୍ୟ ସହ ଧାର୍ଯ୍ୟ ହୋଇଥିବା ହସ୍ପିଟାଲ ଛକ ଠାରୁ ଧର୍ମଶାଳା ରାସ୍ତା ପର୍ଯ୍ୟନ୍ତ ଡ୍ରେନ କାର୍ଯ୍ୟ ଆଦୌ କରାନ ଯାଇ ଉଭୟ କାର୍ଯ୍ୟ ସମାପନ ହୋଇଥିବା ଦର୍ଶାଇ ବିଲ ଆଗତ କରାଯାଇଥିଲା । ପୌରପରିଷଦ ପକ୍ଷରୁ ୮ ଲକ୍ଷ ୯୩ ହଜାର ୫୪୦ ଟଙ୍କା ବିଲ ପାସ କରାଯାଇଥିବା ସୂଚନା ମିଳିଛି । ଘଟଣାକୁ ବିଭାଗୀୟ ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି  ହୋଇଛି ? ଅଭିଯୋଗକୁ ନେଇ ବିଭାଗୀୟ ଯନ୍ତ୍ରୀ ମିହିର ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ ଅଭିଯୋଗ ପରେ ସଂପୃକ୍ତ ଠିକାଦାର ଲୁହା ଛଡ଼ ବଦଳାଇଥିବା ଏବଂ କାର୍ଯ୍ୟ ନିର୍ଦ୍ଧାରିତ ମାନ ଅନୁଯାୟୀ କରାଯାଇଥିବା ନେଇ ଉଲ୍ଲେଖ କରିଥିଲେ ।  

LEAVE A REPLY

Please enter your comment!
Please enter your name here