ଭିଜିଲାନ୍ସ ଜାଲରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ : ୫୦ ହଜାର ଲାଞ୍ଚ ଟଙ୍କା ସହ ଗିରଫ କଲା ଭିଜିଲାନ୍ସ

0
72

ବଲାଙ୍ଗିର,୧୨/୦୭(ଜେଏନ୍ଏସ୍), ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ବଲାଙ୍ଗିର ଜିଲ୍ଲାରେ ସମୀକ୍ଷା ବୈଠକ କରି ପିସି କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ କରିଥିଲେ । ତେବେ ତାଙ୍କ ନିର୍ଦ୍ଦେଶକୁ ୨୪ଘଣ୍ଟା ନ ପୁରୁଣୁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ଗିରଫ ହେବା ଘଟଣା ଜିଲ୍ଲାରେ ଲାଞ୍ଚ କାରବାର ଚରମ ସୀମାରେ ଥିବା ଦର୍ଶାଇଛି । ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଯୋଗାଣଅଧିକାରୀ ବି.ପ୍ରଭାକର ପାତ୍ର ଶୁକ୍ରବାର ଗୁଡ଼ଭେଲା ବ୍ଲକ ଗଜାନନ ରାଇସମିଲ ମାଲିକ ଆଶିଷ ଶର୍ମାଙ୍କ ଠାରୁ ଏକ ବିଲ କରିବା ପାଇଁ ୫୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜଲାନ୍ସ ହାତରେ ଧରାପଡ଼ିଛନ୍ତି । ଭିଜିଲାନ୍ସ ତାଙ୍କୁ ଗିରଫକରି ତାଙ୍କ ବାସଭବନ, ପୈତୃକଗ୍ରାମ ସମେତ ୩ଟି ସ୍ଥାନରେ ଚଢାଉ କରିଛି । ବଲାଙ୍ଗିର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବିଲ କରିବାକୁ ୫୦ହଜାର ଟଙ୍କା ଲାଞ୍ଚ ମାଗିଥିବା ନେଇ ଆଶିଷ ସମ୍ବଲପୁର ଭିଜିଲାନ୍ସ ବିଭାଗକୁ ଯୋଗାଯୋଗ କରିଥିଲେ । ଭିଜିଲାନ୍ସର ଯୋଜନା ମୁତାବକ ଶୁକ୍ରବାର ଦିନ ୧.୩୦ ରେ ଚିଫ ସିଏସ୍ଏସ୍ଓ ବି.ପ୍ରଭାକର ପାତ୍ର ତାଙ୍କ ସରକାରୀ କାର୍ଯ୍ୟାଳୟର ପ୍ରକୋଷ୍ଠରେ ଆଶିଷଙ୍କ ଠାରୁ ୫୦ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ତାଙ୍କ ଠାରୁ ୧୦୦ଟି ରାସାୟନିକ ପ୍ରଲେପଦିଆ ୫୦୦ଟଙ୍କିଆ ନୋଟ ଜବତ କରିବା ସହ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଏଥିସହ ତାଙ୍କ କାର୍ଯ୍ୟଳୟ, ସାଲେପାଲି ସିଲିକନଭେଲି ସ୍ଥିତ ତାଙ୍କ ବାସଭବନ ଓ ଗଞ୍ଜାମ ଜିଲ୍ଲାର ତାଙ୍କ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଟିମ ଏକ କାଳୀନ ଯାଞ୍ଚ କରୁଥିବା ସୂଚନା ମିଳିଛି । ବଲାଙ୍ଗିର ଜିଲ୍ଲାରେ ଧାନକିଣାରେ ବ୍ୟାପକ ଅନୀୟମିତତା, ମିଲର୍ସଙ୍କୁ ଟାର୍ଗେଟ ଦେବାରେ ପାତରଅନ୍ତର ନୀତି ଅବଲମ୍ବନ କରିବା ଆଦି ଅଭିଯୋଗ ଶ୍ରୀ ପାତ୍ରଙ୍କ ନାମରେ ରହି ଆସିଥିଲା । ଏହି ଚଢାଉରେ ସମ୍ବଲପୁର ଭିଜିଲାନ୍ସ ଡିଏସପି ରୀତାଞ୍ଜଳି ପଧାନ, ସୋନପୁର ଭିଜିଲାନ୍ସ ଇନ୍ସପେକ୍ଟର ତୁଷାର ମହାପାତ୍ର ପ୍ରମୁଖଙ୍କ ସହ ବିଭାଗୀୟ ଅଧିକାରୀ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here