ବଲାଙ୍ଗିରରେ ମାଣ୍ଡିଆସଂଗ୍ରହ ପାଇଁ ଜିଲ୍ଲାସ୍ତରୀୟ ବୈଠକ,ଜାନୁୟାରୀ ୬ରୁ ଖୋଲିବ ମଣ୍ଡି ।

0
51

ବଲାଙ୍ଗିର,୦୪/୦୧/୨୦୨୫,(ଜେଏନ୍ଏସ୍), ବଲାଙ୍ଗିର ଜିଲ୍ଲାର ଜିଲ୍ଲାସ୍ତରୀୟ ମାଣ୍ଡିଆ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ କାଯ୍ୟାଳୟର ସଭାକକ୍ଷରେ ଜିଲ୍ଲାପାଳ ଗୌରବଶୀବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟସଭା ସାଂସଦ ନିରଂଜନ ବିଶି, ବଲାଙ୍ଗିର ବିଧାୟକ କଳିକେଶନାରାୟଣ ସିଂଦେଓ, ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ପ୍ରତିନିଧି ମାଧବ ସାଏ, ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ପ୍ରତିନିଧି ହରିବନ୍ଧି ପାଣି, ଜିଲ୍ଲା ମୁଖ୍ୟଉନ୍ନୟନ ଅଧିକାରୀ ପ୍ରଭାତକୁମାର ମହାପାତ୍ର, ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ବାବୁଚରଣ ସେଠୀ, ଡିଆରସିଏସ ପ୍ରମୋଦ ବରିହା, ଜଳସେଚନ ବିଭାଗର ଅଧିକ୍ଷଣଯନ୍ତ୍ରୀ ଇଂ.ଗୋବର୍ଦ୍ଧନ ନାଏକ, ମିଲେଟ ସ୍କିମ ଅଫିସର ସୁନନ୍ଦା ସାହୁ, କୃଷି ସ୍କିମଅଧିକାରୀ ସୁଧାକର ନନ୍ଦ, ଟିଡିସିସିଓଏଲର ବିଏମ ଶୈଳେଶକୁମାର ସାହୁ, ନଳିନୀକୁମାର ସାହୁ, ଆରଏମସିର ସଂପାଦକଗଣ, ଅତରିକ୍ତ ଯୋଗାଣ ଅଧିକାରୀ, ଫାର୍ମର ପ୍ରଡ୍ୟୁସର କମ୍ପାନୀର ଏଫଏଓ,ବିଏଓ, ଏଏଓମାନେ ଯୋଗଦେଇଥିଲେ । ଆସନ୍ତା ଜାନୁୟାରୀ ୬ତାରିଖରୁ ମାଣ୍ଡିଆ ମଣ୍ଡି ଖୋଲି ଚାଷିଙ୍କଠାରୁ ମାଣ୍ଡିଆ ସଂଗ୍ରହ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

       ବଲାଙ୍ଗିର ଜିଲ୍ଲାରେ ଶ୍ରୀଅନ୍ନ ଅଭିଯାନରେ କରାଯାଇଥିବା ମାଣ୍ଡିଆ ଚାଷିଙ୍କଠାରୁ ସରକାର ସିଧାସଳଖ ମାଣ୍ଡିଆ କିଣିବେ । ସେଥିପାଇଁ  ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ କର୍ପୋରେସନ ଲିମିଟେଡ(ଟିଡିସିସିଓଏଲ)କୁ ଦାୟିତ୍ୱ ଦିଆଯାଇଛି । ଏହି କର୍ପୋରେସନ ଆସନ୍ତା ଜାନୁୟାରୀ ୬ତାରିଖରୁ ଜିଲ୍ଲାର ୭ଟି ବ୍ଲକର ୨୧ଟି ମଣ୍ଡି ଖୋଲି ମାଣ୍ଡିଆ କିଣିବ । ପଞ୍ଜିକୃତ ଚାଷିଙ୍କଠାରୁ ହେକ୍ଟରରପିଚ୍ଛା ୧୦କ୍ୱିଣ୍ଟାଲ ହିସାବରେ ମାଣ୍ଡିଆ ସଂଗ୍ରହ କରାଯିବ । ଚଳିତବର୍ଷ ରାଜ୍ୟସରକାର ମାଣ୍ଡିଆ କ୍ୱିଣ୍ଟାଲ ପିଚ୍ଛା ୪୫୦୦ ଟଙ୍କା ଦର ଧାର୍ଯ୍ୟ  କରିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଚଳିତ ବର୍ଷ ୭ଟି ବ୍ଲକ ଯଥା-ବଙ୍ଗୋମୁଣ୍ଡା, ବେଲପଡା, ତୁରେକେଲା, ଖପ୍ରାଖୋଲ, ମୁରିବାହାଲ, ପାଟଣାଗଡ, ଟିଟିଲାଗଡର ୫୬୭୭.୮ ହେକ୍ଟର ଜମିରେ କରାଯାଇଥିବା ମାଣ୍ଡିଆ ସଂଗ୍ରହ କରାଯିବ । ମୋଟ ୩୫,୭୬୮ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯିବ ବୋଲି ଟାର୍ଗେଟ ରହିଛି । ପ୍ରକାଶ ଯେ, ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକରେ ସର୍ବାଧିକ ୧୦୯୦ ହେକ୍ଟର ଓ ପାଟଣାଗଡ ବ୍ଲକରେ ସର୍ବନିମ୍ନ ୭୫୧ ହେକ୍ଟର ମାଣ୍ଡିଆ ଚାଷ କରାଯାଇଛି । ତେବେ ଜିଲ୍ଲାର ୭ଟି ବ୍ଲକକୁ ଶ୍ରୀ ଅନ୍ନ ଅଭିଯାନରେ ସାମିଲ କରାଯାଇଥିବା ବେଳେ ଜିଲ୍ଲାର ଅନ୍ୟ ବ୍ଲକଗୁଡିକୁ ମଧ୍ୟ ଏଥିରେ ସାମିଲ କରିବାକୁ ବୈଠକରେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଓ ବଲାଙ୍ଗିର ବିଧାୟକ କଳିକେଶନାରାୟଣ ସିଂଦେଓ ପ୍ରସ୍ତାବ ଦେଇଥିଲେ । ଜିଲ୍ଲାରେ ବ୍ଲକପିଚ୍ଛା ୩ଟି ମଣ୍ଡି ହିସାବରେ ମୋଟ ୨୧ଟି ମଣ୍ଡି ଖୋଲାଯିବ । ଏଥିପାଇଁ ଆରଏମସିମାନେ ଭିତ୍ତିଭୂମୀ ଓ ବିଭିନ୍ନ ସାମଗ୍ରୀ ଯୋଗାଇଦେବେ । ବ୍ଲକ ଅଞ୍ଚଳରେ ଗୋଟିଏ ଗୋଟିଏ ଏନଜିଓ ଏଥିପାଇଁ ନିଯୁକ୍ତି ହୋଇଛନ୍ତି  ବୋଲି ସୂଚନା ଦିଆଯାଇଥିଲା । ଶେଷରେ ମାଣ୍ଡିଆ ସ୍କିମ ଅଫିସର ସୁନନ୍ଦା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here