ବିଶ୍ବଭାରତୀ ଶାନ୍ତିନିକେତନ ଓ ଡ.ସଦାନନ୍ଦ ଅଗ୍ରଓ୍ବାଲ

0
141

ଡ଼. ସଦାନନ୍ଦ ଅଗ୍ରଓ୍ବାଲ ଥିଲେ ଓଡିଶାର ଜଣେ ଜଣାଶୁଣାଐତିହାସିକ, ଗବେଷକ, ଲିପିତତ୍ବବିଦ ,ସାହିତ୍ୟିକ, ସାମ୍ବାଦିକ, ନାଟ୍ୟକାର ଓ ସଙ୍ଗୀତଜ୍ଞ । ତେବେ ତାଙ୍କ ସହିତ ମିଶିବା ଭିତରେ ଜଣେ କଲେଜ କିମ୍ବା ବିଶ୍ବବିଦ୍ୟାଳୟରେ ପାଠ ପଢି ପାରି ନ ଥିବା ଦରପାଠୁଆ ମଣିଷ ଶେଷରେ କିଭଳି ନିଜ ଅଧ୍ୟବସାୟ ବଳରେ ବିଶ୍ବ ବିଦ୍ୟାଳୟ ରେ ଲିପିତତ୍ବ ବିଷୟ ଉପରେ ଶିକ୍ଷାଦାନ କରୁଥିଲେ ତାହା ମୁଁ ନିଜେ ଦେଖିଛି। ସୋନପୁର ଜିଲ୍ଲାର ମେଣ୍ଡା ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହେଲାପରେ ମଧ୍ୟ ସେ ଆର୍ଥିକ ଅନାଟନ କାରଣରୁ କଲେଜରେ ପଢିବାର ସୁଯୋଗ ପାଇନଥିଲେ।କମ ବୟସରେ ବାପାଙ୍କୁ ହରାଇ ପରିବାର ର ବୋଝ ସମ୍ଭାଳି ଥିଲେ ।ତେବେ ତାଙ୍କ ପଢିବାର ନିଶା ଯାଇନଥିଲା।ତରଭା ରେ ତାଙ୍କର ଜଣେ ସମ୍ପର୍କିୟ ଙ୍କ ସାଙ୍ଗରେ ବ୍ୟବସାୟ କଲାବେଳେ ସାମ୍ବାଦିକତା ପ୍ରତି ଆକର୍ଷିତ ହୋଇଥିଲେ। ପ୍ରଥମେ ବଲାଙ୍ଗୀରରୁ ପ୍ରକାଶିତ ଯୁଗବାର୍ତ୍ତା ରୁ ସାମ୍ବାଦିକତା ଆରମ୍ଭ କରି ପ୍ରଜାତନ୍ତ୍ର ଦୈନିକ ଖବରକାଗଜ ର ତରଭା ପ୍ରତିନିଧି ହୋଇଥିଲେ । ସେହି ସମୟରେ ଡ.ହରେକୃଷ୍ଣ ମହତାବ ଓ ପରେ ଓଡିଶାର ପ୍ରଖ୍ୟାତ ଐତିହାସିକ ଡ.ନବୀନକୁମାର ସାହୁଙ୍କ ସମ୍ପର୍କ ହେବା ସହିତ ଘନିଷ୍ଠତା ବଢିଥିଲା। ସେଇଠୁ ଆରମ୍ଭ ହୁଏ ତାଙ୍କ ଐତିହାସିକ ଜୟଯାତ୍ରା।ଉଭୟଙ୍କ ଠାରୁ ପ୍ରେରଣା ପାଇ ସେ ଐତିହାସିକ ଗବେଷଣା ଆରମ୍ଭ କରିଥିଲେ। ସୋନପୁର ଇତିହାସ ,ଶ୍ରୀ ଖାରବେଳ (ଓଡିଆ,ହିନ୍ଦି,ଇଂରାଜୀ),ଓରିଶାନ ପେଲେଓଗ୍ରାଫି, ଦକ୍ଷୀଣକୋସଳ ଓ ଅନ୍ୟାନ୍ୟ ପ୍ରବନ୍ଧ’, ସୌରାପେଣ୍ଟିଂ ଅଫ ଓରିଶା, ଟୁ କପର ପ୍ଲେଟ ଗ୍ରାଣ୍ଟସ ଫ୍ରମ ଓ୍ବେଷ୍ଟର୍ଣ୍ଣ ଓରିଶା,କୋସଲି ନାଟକ ରକତ ଇତ୍ୟାଦି ପୁସ୍ତକ ରଚନା କରିଥିଲେ ।ଏହା ସହିତ ତାଙ୍କର ଅନେକ ଉପାଦେୟ ସନ୍ଦର୍ଭ ଓ ସ୍ତମ୍ବ ଗୁଡିକ ମଧ୍ୟ ବିଭିନ୍ନ ଜର୍ଣ୍ଣାଲ ତଥା ଖବରକାଗଜରେ ପ୍ରକାଶିତ ହେଉଥିଲା । ଶେଷରେ ତାଙ୍କ କୃତିକୁ ସମ୍ମାନ ଜଣାଇ ରାଷ୍ଟ୍ରୀୟ ସଂସ୍କୃତ ପ୍ରତିଷ୍ଠାନ ତିରୁପତି ବିଶ୍ବ ବିଦ୍ୟାଳୟ ରୁ ତାଙ୍କୁ ସମ୍ମାନଜନକ ଡି.ଲିଟପ୍ରଦାନ କରାଯାଇଥିଲା ।ସେ ଲିପିତତ୍ଵ ଉପରେ ଯଥେଷ୍ଟ ଗବେଷଣା କରି ପୁରାତନ ଲିପି, ଶିଳାଲିପି,ତାମ୍ରଫଳକ ଇତ୍ୟାଦିକୁ ପାଠୋଦ୍ଧାର କରୁଥିଲେ।ଦେଶ ର ଅନେକ ମ୍ୟୁଜିୟମରୁ ସେଥିପାଇଁ ତାଙ୍କୁ ଡାକରା ଆସୁଥିଲା । ଲିପିର କ୍ରମ ବିକାଶ ଉପରେ ତାଙ୍କର ଅନେକ ସନ୍ଦର୍ଭ ପ୍ରକାଶିତ ହୋଇଛି । ବ୍ରାହ୍ମି,ପାଲି ଓ ଅନ୍ୟାନ୍ୟ ପୁରାତନ ଭାଷା ଉପରେ ତାଙ୍କର ଖୁବ ଦଖଲ ଥିଲା । ଲିପିତତ୍ବ ଉପରେ ଶିକ୍ଷାଦାନ ପାଇଁ ଜଣେ ଭିଜିଟିଙ୍ଗ ପ୍ରଫେସର ଭାବରେ ବିଶ୍ବଭାରତୀ ଶାନ୍ତିନିକେତନ ବିଶ୍ବ ବିଦ୍ୟାଳୟ ତରଫରୁ ତାଙ୍କୁ ଅନେକଥର ନିମନ୍ତ୍ରଣ କରାଯାଇଥିଲା । ୨୦୧୩ ମସିହାରେ ତାଙ୍କର ଜଣେ ସହଯୋଗୀ ଭାବରେ ଏହି ଲେଖକଙ୍କୁ ଶାନ୍ତିନିକେତନକୁ ଯିବାର ସୁଯୋଗ ମିଳିଥିଲା । ସେଠାରେ ଓଡିଆ ବିଭାଗ ତରଫରୁ କରାଯାଇଥିବା ଓ୍ବାର୍କସପରେ ସେ ଜଣେ ଦକ୍ଷ ଲିପିତତ୍ବବିଦ ଭାବରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିଲେ । ଜଣେ ମାଟ୍ରିକ ପାଠ ପଢିଥିବା ଲୋକ ଭାରତବର୍ଷ ର ଏକ ବିଖ୍ୟାତ ବିଶ୍ବବିଦ୍ୟାଳୟ ରେ ଲିପିତତ୍ବ ଉପରେ ଯେଭଳି କଳାପଟାରେ ଚକଖଡି ରେ ଲେଖି ଲେଖି ପଢାଉଥିଲେ ତାହା ମୋତେ ଅଭିଭୂତ କରିଥିଲା । ମୁଖ୍ୟତଃ ଛାତ୍ରଛାତ୍ରୀଙ୍କ ଲିପି ଉପରେ ଜାଣିବାର ଆଗ୍ରହ ମୋତେ ଖୁବ ଆଶ୍ଚର୍ଯ୍ୟ କରିଥିଲା। ଅଧ୍ୟବସାୟ ହିଁ ମଣିଷକୁ ସଫଳ କରିଥାଏ ତାହା ତାଙ୍କଠୁ ଶିଖିବାକୁ ମିଳିଥିଲା ।

ସେହି ପୂଣ୍ୟାତ୍ମାଙ୍କ ଅଷ୍ଟମ ଶ୍ରାଦ୍ଧ ଦିବସ ରେ ତାଙ୍କୁ ଗଭୀର ଶ୍ରଦ୍ଧାଞଳି ଜ୍ଞାପନ କରୁଛି।

 ପୂର୍ଣଚନ୍ଦ୍ର ପଣ୍ଡା,ସାମ୍ବାଦିକ,

ରାଜପାଲି, ମେଣ୍ଡା ମୋବାଇଲ -୯୪୩୭୨୪୧୧୭୬

LEAVE A REPLY

Please enter your comment!
Please enter your name here