ପିଇବା ପାଣି ପାଇଁ ହନ୍ତସନ୍ତ ଡି.ଏ.ଭି. ମହାବିଦ୍ୟାଳୟ, ଟିଟିଲାଗଡ଼ର ଛାତ୍ରଛାତ୍ରୀ

0
154

ଟିଟିଲାଗଡ଼,୨୦/୦୭ (ଜେଏନ୍ଏସ୍) : ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ଵ ଧରି ନିରନ୍ତର ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅତୁଳନୀୟ ଭୂମିକା ତୁଲାଇ ଆସିଥିବା ଟିଟିଲାଗଡ଼ ସ୍ଵୟଂ ଶାସିତ ଡି ଏ ଭି ମହାବିଦ୍ୟାଳୟ ଏଯାବତ ପାନୀୟ ଜଳ ଯୋଗାଣରୁ ବଞ୍ଚିତ ରହିଛି।ବିଗତ ୧୮୬୮ ମସିହାରେ ସ୍ଥାପିତ ଏହି ମହାବିଦ୍ୟାଳୟ ଉପରେ ସ୍ଥାନୀୟ ଅଞ୍ଚଳ ତଥା ପଡ଼ୋଶୀ ଜିଲ୍ଲାର ଛାତ୍ରଛାତ୍ରୀ ନିର୍ଭରଶୀଳ । ବର୍ତ୍ତମାନ ଏହି ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୧୦୦ରୁ ଊର୍ଦ୍ଧ୍ଵ ରହିଛି । ତେବେ ଏହି ମହାବିଦ୍ୟାଳୟକୁ ଏ ଯାଏ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇ ନଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ସହ କଲେଜ କର୍ମଚାରୀ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ସଦ୍ୟ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନରେ କଲେଜ କୋଠାକୁ ଷ୍ଟ୍ରଙ୍ଗରୁମ୍ ଏବଂ ଭୋଟ ଗଣତି କେନ୍ଦ୍ର କରାଯାଇଥିବା ବେଳେ ସେହି ସମୟରେ ଅସ୍ଥାୟୀ ଭାବରେ ଜଳ ଯୋଗାଣ ସଂଯୋଗ କରାଯାଇଥିଲା । ତେବେ ନିର୍ବାଚନ ଫଳ ପ୍ରକାଶ ପରେ ସଙ୍ଗେସଙ୍ଗେ ଏହାକୁ ବିଚ୍ଛିନ୍ନ କରାଯାଇଥିଲା। ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବ ସରକାରଙ୍କ ପ୍ରଭାବଶାଳୀ କ୍ୟାବିନେଟ ଜଳ ସମ୍ପଦ ମନ୍ତ୍ରୀଙ୍କ ନିଜ ସହରର ଏହି ପ୍ରମୁଖ ଶିକ୍ଷା ଅନୁଷ୍ଠାନ ପାନୀୟ ଜଳ ଯୋଗାଣରୁ ବଞ୍ଚିତ ହେବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କଲେଜକୁ ଲାଗି ଜଳ ସମ୍ପଦ ବିଭାଗର ୨ କୋଟିରୁ ଊର୍ଦ୍ଧ୍ଵ ବ୍ୟୟ ଅଟକଳରେ ଏକ ବିଭାଗୀୟ ବିଳାସପୂର୍ଣ୍ଣ ଡାକ ବଙ୍ଗଳା ନିର୍ମାଣ କରାଯାଉଥିବା ବେଳେ ବିଭାଗୀୟ ଅବହେଳା ଯୋଗୁଁ କଲେଜରେ ଅଧ୍ୟୟନ ରତ ହଜାର ହଜାର ଛାତ୍ରଛାତ୍ରୀ ନିତିଦିନ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ଏହାକୁ ନେଇ ବିଭାଗୀୟ ଅଧିକାରୀ ଜୟାନନ୍ଦ୍ ଜଗତଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ, ସେ ପାଇପ ସଂଯୋଗ ହୋଇସାରିଥିବା କହିବା ସହ ସ୍ଥିତି ଅନୁଧ୍ୟାନ କରିବେ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here