ବଲାଙ୍ଗିର ଲୋକସଭା କ୍ଷେତ୍ର ରେ ବିଜେପିର ସୁନାମୀ… ବଲାଙ୍ଗିର ଲୋକସଭା ଆସନ ସମେତ ୫ଟି ବିଧାନସଭା ଆସନରେ ବିଜେପି

0
122

ବଲାଙ୍ଗିର(ଜେଏନ୍ଏସ୍),ସାଧାରଣ ନିର୍ବାଚନର ଫଳାଫଳରେ ବଲାଙ୍ଗିର ଲୋକସଭା କ୍ଷେତ୍ରରେ ବିଜେପିର ସୁନାମୀ ଦେଖାଦେଇଛି । ବଲାଙ୍ଗିର ଲୋକସଭା ଆସନ ସହ ୫ଟି ବିଧାନସଭା ଆସନ ଦଖଲ କରିବାରେ ବିଜେପି ସଫଳ ହୋଇଛି । ବଲାଙ୍ଗିର ସାଂସଦ ପ୍ରାର୍ଥିନୀ ସଂଗୀତା କୁମାରୀ ସିଂଦେଓ ଲକ୍ଷାଧିକ ଭୋଟରେ ବିଜୟୀ ହୋଇଛନ୍ତି । ଶ୍ରୀମତି ସିଂଦେଓ ତାଙ୍କ ପ୍ରତିଦ୍ଵନ୍ଦୀ ତଥା ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇଙ୍କୁ ୧ ଲକ୍ଷ ୨୫ ହଜାର ଭୋଟରେ ହରାଇଛନ୍ତି । ଚଳିତ ନିର୍ବାଚନରେ ରାଜ୍ୟରେ ମୋଦୀ ହାୱା ରହିଥିଲା । ଏଥିସହ ବିଜେପି ଓଡ଼ିଶା ପ୍ରତି ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରି ନିର୍ବାଚନ ଲଢ଼ିଥିଲା । ଓଡ଼ିଆ ଅସ୍ମିତା,ରାଜ୍ୟରେ ଦାଦନ ସମସ୍ୟା, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଆଦି ସମ୍ବେଦନଶୀଳ ପ୍ରସଙ୍ଗକୁ ନିର୍ବାଚନୀ ପ୍ରସଙ୍ଗକରି ଜନସାଧାରଣଙ୍କ ନିକଟତର ହୋଇପାରିଥିଲା । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱକର୍ମା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଡୋଶୀ ରାଜ୍ୟ ଛତିଶଗଡର ମନ୍ତ୍ରୀଗଣ ଆସି ଭାଜପା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କଣ୍ଟାବାଞ୍ଜିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵୟଂ ପ୍ରାର୍ଥୀ ହୋଇଥିବା ବେଳେ ଭାଜପାର ଲକ୍ଷ୍ମଣ ବାଗଙ୍କ ଠାରୁ ୧୬,୩୪୪ ଭୋଟରେ ହାରି ଯାଇଛନ୍ତି । ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେଲାପରେ ବିଜେଡି ଶିବିର ଚଳଚଞ୍ଚଳ ଦେଖାଦେବା ସହ କର୍ମୀଙ୍କ ଉତ୍ସାହ ବୃଦ୍ଧି ପାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବରେ ବିଜେଡି ପ୍ରାର୍ଥୀମାନେ ବହୁ ଭୋଟରେ ବିଜୟୀ ହେବେ ବୋଲି ଆଶା କରାଯାଉ ଥିଲା । କିନ୍ତୁ ଫଳ ସମ୍ପୂର୍ଣ ଓଲଟା ହେଲା । ନିଜେ ମୁଖ୍ୟମନ୍ତ୍ରୀ ଜଣେ ସାଧାରଣ ଯାବଦ ପରିବାରର ବ୍ୟକ୍ତିଙ୍କ ଠାରୁ ହାରି ଯାଇଛନ୍ତି । ଏକ ଅପ୍ରତିଦ୍ୱନ୍ଦି ନେତା ଭାବରେ ନିଜ ଛବି ବଜାୟ ରଖିଥିବା ମୁଖ୍ୟମନ୍ତ୍ରୀଙ୍କ ପରାଜୟ ଓଡିଶା ଇତିହାସରେ ଲିପିବଦ୍ଧ ହୋଇ ରହିବ । ସେହିପରି ଟିଟିଲାଗଡ଼ରେ କ୍ୟାବିନେଟ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ବିଜେପିର ନବାଗତ ପ୍ରାର୍ଥୀ ନବୀନ ଜୈନ ୧୭,୩୯୯ ଭୋଟରେ ପରାସ୍ତ କରିଛନ୍ତି । ଟିଟିଲାଗଡ଼ରୁ ଗତ ଦୁଇଥର ହେଲା ଟୁକୁନି ସାହୁ ବିଜୟୀ ହୋଇ ଆସୁଥିବା ବେଳେ ଚଳିତ ଥର ବିଜେପି ପ୍ରାର୍ଥୀଙ୍କ ଠାରୁ ସେ ପରାଜୟ ହୋଇଛନ୍ତି । ଲୋଇସିଂହା ନିର୍ବାଚନ ମଣ୍ଡଳିରେ ବିଜେପିର ବିଧାୟକ ଡ.ମୁକେଶ ମହାଲିଙ୍ଗ ପୁଣିଥରେ ବିଜୟୀ ହୋଇଛନ୍ତି। ମୁକେଶ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ନୀହାର ବେହେରାଙ୍କୁ ୧୯,୬୬୮ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ପାଟଣାଗଡ଼ରେ ଭାଜପାର ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ସରୋଜ ମେହେରଙ୍କ ଠାରୁ ମାତ୍ର ୧ ହଜାର  ଭୋଟରେ ବିଜୟୀ ହୋଇଛନ୍ତି । ବୀରମହାରାଜପୁର ନିର୍ବାଚନ ମଣ୍ଡଳିରେ ମଧ୍ୟ ବିଜେପି ବାଜିମାତ କରିଛି । ସେଠାରେ ବିଜେଡିର ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ବିଜେପି ପ୍ରାର୍ଥୀ ଇଂ.ରଘୁନାଥ ଜଗଦଲା ୨୧,୯୪୬ ଭୋଟରେ ପରାସ୍ତ କରିଛନ୍ତି । ତେବେ ବଲାଙ୍ଗିର ଓ ସୋନପୁର ବିଧାନସଭା ଆସନରେ ବିଜେଡି ଖାତାକୁ ଆସିଛି । ବଲାଙ୍ଗିର ଆସନରେ ବିଜେଡିର କଳିକେଶ ନାରାୟଣ ସିଂଦେଓ ତାଙ୍କ ପ୍ରତିଦ୍ୱନ୍ଦି କଂଗ୍ରେସର ସମରେନ୍ଦ୍ର ମିଶ୍ରଙ୍କୁ ୧୩,୪୧୦ ଭୋଟରେ ହରାଇଛନ୍ତି । ଗତ ୨୦୧୪ ଓ ୨୦୧୯ରେ ବଲାଙ୍ଗିର ସଦର ଆସନରେ କଂଗ୍ରେସର ନରସିଂହ ମିଶ୍ର ଜିଣିଥିଲେ । କିନ୍ତୁ ଏଥର ନରସିଂହ ମିଶ୍ରଙ୍କ ବଦଳରେ ତାଙ୍କ ସାନପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ସେହିପରି ସୋନପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ମନ୍ତ୍ରୀ ନିରଂଜନ ପୂଜାରୀ ତାଙ୍କ ସ୍ଥିତି ବଜାୟ ରଖିଛନ୍ତି । ନିରଂଜନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀ ପ୍ରମୋଦ ମହାପାତ୍ରଙ୍କ ଠାରୁ ୧୫,୦୯୨ ଭୋଟରେ ବିଜୟୀ ହୋଇଛନ୍ତି । ଚଳିତ ନିର୍ବାଚନରେ ବିଜେପି ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ଲୋକସଭାରେ ଆସନରେ ମଧ୍ୟ ୨୧ ରୁ ୨୦ ଟି ଆସନ ଦଖଲ କରି ରେକଡ୍ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here