ଟିଟିଲାଗଡ଼ ସରକାରୀ ବାଳକ ହାଇସ୍କୁଲରେ ପରିବେଶ ସୁରକ୍ଷା ଦିବସ ପାଳିତ : ପ୍ରାକ୍ତନ ପ୍ରଧାନ ଶିକ୍ଷକ କୃପାନିଧି ଶତପଥୀ “ପରିବେଶ ସମ୍ମାନ”ରେ ସମ୍ମାନିତ ।

0
88

ଟିଟିଲାଗଡ଼,୨୭/୦୭(ଜେଏନ୍ଏସ୍): ସ୍ଥାନୀୟ ସରକାରୀ ବାଳକ ହାଇସ୍କୁଲ ପରିସରରେ ଶନିବାର ପରିବେଶ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଶିକ୍ଷା ସପ୍ତାହ ଅବସରରେ ପାଳିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି, ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ, ଶିକ୍ଷାବିତ ଜ୍ୟୋତି ପ୍ରକାଶ ଗଡ଼ତ୍ୟା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃପାନିଧି ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଛାତ୍ର ଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର ପଣ୍ଡା ଚଳିତ ଶିକ୍ଷା ସପ୍ତାହର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । “ମା ପାଇଁ ବୃକ୍ଷ ଟିଏ”  କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣର ଆବଶ୍ୟକତା ଓ ଉପାଦେୟତା ସମ୍ଵନ୍ଧରେ ମୁଖ୍ୟ ଅତିଥି ଶ୍ରୀ ଜୈନ ଆଲୋକପାତ କରିଥିଲେ ।

ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ସହରର ପରିବେଶ ସନ୍ତୁଳନ ଓ ତାପମାତ୍ରା ନିୟନ୍ତ୍ରଣ ପାଇଁ ବ୍ୟାପକ ବୃକ୍ଷ ରୋପଣର ଆବଶ୍ୟକତା ଥିବା ବେଳେ ଯଶଶ୍ଵୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଏକ ପେଡ ମା କେ ନାମ ” କାର୍ଯ୍ୟକ୍ରମ ସହରରେ ସବୁଜିମା ସୃଷ୍ଟି କରିବାରେ ବେଶ୍ ସହାୟକ ହେବ ବୋଲି ସମ୍ମାନିତ ଅତିଥି ପୌରଅଧ୍ୟକ୍ଷା ଶ୍ରୀମତୀ ଜୈନ ପ୍ରକାଶ କରିଥିଲେ । ପରିବେଶ ସୁରକ୍ଷା ଦିବସ ଅବସରରେ  ଦୀର୍ଘ ଚାରି ଦଶନ୍ଧି ରୁ ଉର୍ଦ୍ଧ୍ଵ ସମୟ ଧରି ବୃକ୍ଷରୋପଣ ଓ ନିଶୁଳ୍କ ଚାରା ବଣ୍ଟନରେ ବ୍ରତୀ ଥିବା ପ୍ରାକ୍ତନ ପ୍ରଧାନ ଶିକ୍ଷକ କୃପାନିଧୀ ଶତପଥୀଙ୍କୁ “ପରିବେଶ ସମ୍ମାନ”ରେ ଅତିଥିବୃନ୍ଦ ସମ୍ମାନିତ କରିଥିଲେ । ଶିକ୍ଷାବିତ୍ ଶ୍ରୀଯୁକ୍ତ ଗଡ଼ତ୍ୟା ସଭା ପରିଚାଳନା କରିଥିବାବେଳେ ଶିକ୍ଷକ ଯୋଗେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅତିଥିବୃନ୍ଦ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here