ପାହାଳ ସ୍ଥିତ ମଦର୍ସ ପବ୍ଲିକ ସ୍କୁଲ ଠାରେ ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ‘ଇ-ପତ୍ରିକା’ ଉନ୍ମୋଚିତ

0
149

ଭୁବନେଶ୍ୱର(ଜେଏନ୍ଏସ୍), ଆଜି ପାହାଳ ସ୍ଥିତ ମଦର୍ସ ପବ୍ଲିକ ସ୍କୁଲ ଠାରେ ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ୬୬ତମ ଅଧିବେଶନ ପାଳିତ ହୋଇଯାଇଛି । ବିଶିଷ୍ଟ ପ୍ରାବନ୍ଧିକ ଡ଼. ନଗେନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ “ସାହିତ୍ୟରେ ଅଙ୍ଗୀକାରବଦ୍ଧତା” ଶୀର୍ଷକରେ ଆଲୋଚନାଚକ୍ରରେ  ବିଶିଷ୍ଟ ସାହିତ୍ୟିକ ଇଂ ଶଶିଭୂଷଣ ରଥ, ଉତ୍କଳ ବିଶ୍ଵବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟର ବିଭାଗୀୟ ମୁଖ୍ୟ ଡକ୍ଟର ରମେଶଚନ୍ଦ୍ର ମଲ୍ଲିକ, ରେଭେନ୍ସା ବିଶ୍ଵବିଦ୍ୟାଳୟର ହିନ୍ଦୀ ବିଭାଗର ମୁଖ୍ୟ ଡକ୍ଟର ଅଞ୍ଜୁମନ ଆରା, ‘ଜନବାଦୀ’ ସାପ୍ତାହିକ ସମ୍ଵାଦପତ୍ରର ସଂପାଦକ ଚକ୍ରଧର ପ୍ରଧାନ ଆଲୋଚକ ଭାବରେ ଯୋଗ ଦେଇ କହିଥିଲେ ଯେ, ଅଙ୍ଗୀକାରବଦ୍ଧ ମଣିଷ ଅନ୍ୟକୁ ଭଲପାଇ ଜାଣନ୍ତି ଏବଂ ଅନ୍ୟର ଭଲ ପାଇବାର ଭାଜନ ହୋଇଥାଆନ୍ତି । ସାହିତ୍ୟିକ ଅଟକି ଗଲେ ସାହିତ୍ୟ ଅଟକିଯାଏ । ସତ୍ୟର ଉଦଘାଟନ ମାର୍ଗ ମଧ୍ୟ ବନ୍ଦ ହୋଇଯାଏ । ଏହା ସହ ଅଙ୍ଗୀକାରବଦ୍ଧତା ମଧ୍ୟ ଅଟକି ଯାଏ । ଅଙ୍ଗୀକାରବଦ୍ଧ ସାହିତ୍ୟିକଙ୍କ ଲେଖା କାଳକୁ ଜୟକରେ ବୋଲି ବକ୍ତାମାନେ ବିଭିନ୍ନ ଉଦାହରଣ ମାଧ୍ୟମରେ ନିଜନିଜ ମତ ରଖିଥିଲେ । ସଂସଦର ପ୍ରତିଷ୍ଠାତା ସଂପାଦକ ଶ୍ରୀଯୁକ୍ତ ବସନ୍ତ ମାଝି ସଂପାଦକୀୟ ରିପୋର୍ଟ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ସଂସଦର ମାସିକ ଡିଜିଟାଲ ମୁଖପତ୍ର “ଇ-ପତ୍ରିକା”ର ଦ୍ୱିତୀୟ ବର୍ଷ, ଦ୍ଵାଦଶ ସଂଖ୍ୟା ଏବଂ ମାସିକ ସାହିତ୍ୟ ବୁଲେଟିନ୍ ‘ଆମ ସାହିତ୍ୟ ଆସର’ର ୬୫ତମ ସଂଖ୍ୟା ଅତିଥିଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା । ‘ଇ-ପତ୍ରିକା’ର  ସଂପାଦକ ସରୋଜ କୁମାର ଶତପଥୀ ପତ୍ରିକାର ବ୍ୟୟ ବିବରଣୀ ଦେବା ସହ ତାର ଆଭିମୁଖ୍ୟ ଓ ପ୍ରଚାର ପ୍ରସାରର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ ।  ଆମ ସାହିତ୍ୟ ଆସରର ସଂପାଦିକା ଅନ୍ନଦା ମିଶ୍ର ପତ୍ରିକାର ଆଭିମୁଖ୍ୟ ବାବଦରେ ବକ୍ତବ୍ୟ ରଖିଥିଲେ। ସଂସଦର ପ୍ରଥମ ଅଧିବେଶନରେ ପ୍ରାୟ ଅର୍ଦ୍ଧଶତାଧିକ କବିଙ୍କ କବିତାପାଠ ହୋଇଥିଲା । ଏହି ଅଧିବେଶନରେ ଡକ୍ଟର ଜୟଶ୍ରୀ ନନ୍ଦ ସଭାପତିତ୍ଵ କରିଥିବାବେଳେ କବି ଆଶୁତୋଷ ଦାଶ, ପ୍ରଭାତ କୁମାର ଦାଶ, ଡକ୍ଟର ରଶ୍ମି କର ସଂଯୋଜନା କରିଥିଲେ। ଯୁବକଣ୍ଠଶିଳ୍ପୀ ସ୍ଵୟଂମ ଆର୍ଯ୍ୟନ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ। ବିଶିଷ୍ଟ ଗାଳ୍ପିକ ବିଦ୍ୟାଧର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ମଞ୍ଚ ପରିଚାଳନା କରିଥିଲେ କବୀ ବିଶ୍ଵମିତ୍ରା ମିଶ୍ର ।

 

LEAVE A REPLY

Please enter your comment!
Please enter your name here