ଚାଷୀଙ୍କୁ ଶୋଷଣ, ଧାନ ବିକ୍ରିର ବର୍ଷକ ପରେ ବି ମିଳିନି ପ୍ରାପ୍ୟ

0
122

ଟିଟିଲାଗଡ଼,୧୩/୦୮(ଜେଏନ୍ଏସ୍) : ମୂରିବାହାଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଧାନମଣ୍ଡିରେ ଚାଷୀ ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସରକାର କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ ଧାନର ଉଚିତ ସହାୟକ ମୂଲ୍ୟ ଯୋଗାଇ ଦେବାପାଇଁ ମଣ୍ଡି ବ୍ୟବସ୍ଥା କରିଛନ୍ତି । ଚାଷୀ ନିଜ କଷ୍ଟ ଉପାର୍ଜିତ ଫସଲକୁ ମଣ୍ଡି ମାଧ୍ୟମରେ ବିକ୍ରି କରି ପ୍ରାପ୍ୟ ପାଇବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖାଯାଇଛି । ସୂଚନା ଅନୁଯାୟୀ ମୁରିବହାଲ୍ ବ୍ଲକ ତେନ୍ତୁଳିଖୁଣ୍ଟି ଧାନମଣ୍ଡିରେ ଅଞ୍ଚଳର ଚାଷୀ ବିପିନ ରଣା ଗତ ବର୍ଷ ଖରିଫ ଧାନ କିଣା ସମୟରେ ତେନ୍ତୁଳିଖୁଣ୍ଟି ଧାନ ମଣ୍ଡିରୁ ଟୋକନ୍ ପାଇ ୧୫ କ୍ଵିଣ୍ଟାଲ ଧାନ ମଣ୍ଡିରେ ଓଜନ କରି ଦେଇଥିଲେ । ତେବେ ସେହି ସମୟରେ ସେଠାରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ବୈଷେୟିକ ତ୍ରୁଟି କହି ପରେ ବ୍ୟାଙ୍କ ଜମାଖାତାରେ ଟଙ୍କା ପଡ଼ିଯିବ ବୋଲି କହିଥିଲେ । ସଂପୃକ୍ତ କର୍ମଚାରୀଙ୍କ କଥାରେ ବିଶ୍ୱାସ କରି ଦୀର୍ଘଦିନ ଧରି ଅପେକ୍ଷା କଲା ପରେ ମଧ୍ୟ ଟଙ୍କା ମିଳି ନଥିଲା । ସେହିପରି ଚାଷୀ ଭଗବାନ ମାଝୀ ମଧ୍ୟ ମଣ୍ଡିରେ ୪୦ କ୍ଵିଣ୍ଟାଲ ଧାନ ଦେଇ ସମଦଶା ଭୋଗୁଥିବା ପ୍ରକାଶ କରିଛନ୍ତି । ଏହି ମଣ୍ଡିରେ ଆଉ କିଛି ଚାଷୀଙ୍କ ସହ ଏହିପରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାକୁ ଗୋଟିଏ ବର୍ଷ ବିତିଯାଇଥିବା ବେଳେ ଏ ନେଇ ସଂପୃକ୍ତ ଚାଷୀ  ଟିଟିଲାଗଡ଼ ଏ ଆର ସି ଏସ ଓ ବଲାଙ୍ଗିର ଡି ଆର ସି ଏସ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ବର୍ତ୍ତମାନ ଯାଏ କୌଣସି ସୁଫଳ ନ ମିଳିବାରୁ ବର୍ତ୍ତମାନ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଉପଜିଲ୍ଲାପାଳ ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଘଟଣାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି । 

LEAVE A REPLY

Please enter your comment!
Please enter your name here