ଟିଟିଲାଗଡ,୨୬/୨(ଜେଏନଏସ),ଟିଟିଲାଗଡ ବ୍ଲକ ସିହିନୀ ପଞ୍ଚାୟତ ଅନ୍ତର୍ଗତ କେଣ୍ଡୁମୁଣ୍ଡି ଗ୍ରାମ ଲକ୍ଷ୍ମୀ ଜୋର ଉପରେ ୩ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ ସେତୁ ଲୋକଙ୍କ କାମରେ ଲାଗୁ ନ ଥିବା ଦେଖିବାକୁ ମିଳିଛି।ପୂର୍ବ ସରକାର ଅମଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜୁ ସେତୁ ବନ୍ଧ ଯୋଜନା ଅନ୍ତର୍ଗତ ଏହି ପ୍ରକଳ୍ପ ନିର୍ମିତ ହୋଇଛି।ତେବେ ଏଯାଏ ଏହାର ଗୋଟିଏ ପାର୍ଶ୍ଵ ରେ ସଂଲଗ୍ନ ରାସ୍ତା ତିଆରି ହୋଇ ନ ଥିବା ଯୋଗୁଁ ଯାତାୟାତ ସମ୍ଭବ ହୋଇପାରୁ ନାହିଁ।ଏହି ରାସ୍ତା ଉପରେ ସିହିନି, କତରକେଲା,ଘୋଡାର, ଜଗୁଆ ଓ ଘଣ୍ଟବାହାଲି ଆଦି ପଞ୍ଚାୟତ ର ଲୋକେ ନିର୍ଭରଶୀଳ ରହୁଥିବା ବେଳେ ଏହି ସେତୁ ସହ ଟିଟିଲାଗଡ କୁମୁଡା ପାହାଡ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ କରାଯିବାକୁ ଅଞ୍ଚଳବାସୀ ଓ ସ୍ଥାନୀୟ ସରପଞ୍ଚ ବୀରବର ସାହୁ ବ୍ଲକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସିଏମ ଓ ପର୍ଯ୍ୟନ୍ତ ଲିଖିତ ଦାବୀ କରିଥିଲେ।ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କେବଳ ସେତୁ ନିର୍ମାଣ କରାଯାଇ ଉଭୟ ପାର୍ଶ୍ଵ ରୁ ରାସ୍ତା ତିଆରି ହୋଇ ନଥିବା ଯୋଗୁଁ କୋଟିକୋଟି ଟଙ୍କା ବ୍ୟୟ ରେ ନିର୍ମିତ ଏହି ଲୋକାଭିମୁଖୀ ପ୍ରକଳ୍ପ ଲକ୍ଷ୍ୟଚ୍ୟୁତ ହୋଇ ପଡ଼ିଛି।ଅପରପକ୍ଷରେ ଟିଟିଲାଗଡ ଓ ପଡ଼ୋଶୀ କଳାହାଣ୍ଡି ଜିଲ୍ଲା କେସିଙ୍ଗା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଲୟତରା ଠାରେ ଥିବା ରେଳ ଫାଟକ ନିୟମିତ ବ୍ୟବଧାନ ରେ ଘଣ୍ଟା ଘଣ୍ଟା ଧରି ବନ୍ଦ ରହୁଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ସହ ଯାତ୍ରୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ରେଳ ଫାଟକ ବନ୍ଦ ଯୋଗୁଁ ଆମ୍ବୁଲାନ୍ସ, କଲେଜ ଛାତ୍ର ଛାତ୍ରୀ ଙ୍କ ସହ ବହୁ ଯାନବାହାନ ନିୟମିତ ଦୀର୍ଘ ସମୟ ଧରି ଫସି ରହୁଥିବା ଦେଖିବାକୁ ମିଳିଛି।ଏହାର ବିକଳ୍ପ ଭାବରେ କତରକେଲା କେନ୍ଦୁମୁଣ୍ଡି ରାସ୍ତା ରହିଥିବା ବେଳେ ଏହାକୁ ସମ୍ପୂର୍ଣ କରା ନ ଯିବା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଉଛି।ଘଟଣା କୁ ନେଇ ବିଭାଗୀୟ ଯନ୍ତ୍ରୀ ଶୁକଦେବ ମାଝୀ ଙ୍କୁ ଯୋଗାଯୋଗ କରାଯିବାରୁ ସେ ରାସ୍ତା ପାଇଁ ସ୍ଥାନୀୟ ବିଧାୟକ ନବୀନ ଜୈନ ଙ୍କ ପ୍ରସ୍ତାବ ନେଇ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।ତେବେ ବିଭାଗୀୟ ସନନ୍ଵୟତା ଅଭାବ ଯୋଗୁଁ ସରକାରୀ ଅର୍ଥ ର ଅପବ୍ୟୟ ଓ ଠିକାଦାର ପୋଷା ନୀତି କୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି।


