ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଆଗଧାଡ଼ିର ନେତା ଓ କର୍ମୀ

0
6

ଟିଟିଲାଗଡ,୧୮/୩(ଜେଏନଏସ), ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଦଳ ବଦଳର ଘଟଣାକୁ ନେଇ ରାଜନୀତିକ ଚଞ୍ଚଳତା ବୃଦ୍ଧି ପାଇଛି। ଦୀର୍ଘଦିନ ଧରି ସ୍ଥାନୀୟ ବିଜେଡିରେ ପ୍ରମୁଖ ସ୍ଥାନ ଅଧିକାର କରିଥିବା କିଛି ଆଗଧାଡ଼ିର ନେତା ଓ କର୍ମୀ ବୁଧବାର ଶଙ୍ଖ ଛାଡ଼ି ପଦ୍ମ ଶିବିରରେ ଯୋଗଦେଇଛନ୍ତି। ପୂର୍ବ ସରକାର ସମୟରେ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁଙ୍କ ଏକାନ୍ତ ଆନୁଗତ୍ୟ ଥିବା ଏହି ନେତାଙ୍କ ଦଳ ଡିଆଁ ପର୍ବ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଟିଟିଲାଗଡ ବିଜେପି କାର୍ଯ୍ୟାଳୟରେ ବୁଧବାର ବିଧାୟକ ନବୀନ ଜୈନଙ୍କ ଉପସ୍ଥିତିରେ ବିଜେଡି ନେତା ଅରୁଣ ବାଗ, ଆଶିଷ ବେହେରା, ଠିକାଦାର ସଂଘ ସମ୍ପାଦକ ରମେଶ ବେହେରା, ବିଶାଲ ନାୟକ, ବିନୋଦ ତାଣ୍ଡି, ଅମିତ୍ ବାରିକ, କରଫୁଲ ଜାଲ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି। ବିଧାୟକ ଶ୍ରୀ ଜୈନ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ବିଜେଡି ଆଉ ପୂର୍ବ ଭଳି ସ୍ଥିତିରେ ନ ଥିବା ବେଳେ ଟିଟିଲାଗଡ ଅଞ୍ଚଳରେ ବିଜେପି ସରକାର ତଥା ବିଧାୟକ ଶ୍ରୀ ଜୈନଙ୍କ ଉଦ୍ୟମରେ ଜାରି ରହିଥିବା ବିକାଶଧାରାରେ ସାମିଲ ହେବାକୁ ବିଜେପିରେ ଯୋଗଦେଇଥିବା ନବାଗତ ସଦସ୍ୟ ମାନେ ଉଲ୍ଲେଖ କରିଥିଲେ। ବିଜେପି ପକ୍ଷରୁ ଏହାକୁ ସ୍ଵାଗତ କରାଯାଇଥିବା ବେଳେ ଦଳ ବଦଳକୁ ନେଇ ବିଜେଡି ଶିବିରରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜନୀତିରେ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଓ କେବଳ ଠିକା କାମ ହାତେଇବା ପାଇଁ ଏମାନେ ଦଳ ବଦଳ କରିଥିବା ବିଜେଡି ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ, ଠିକାଦାର ସଂଘ ସଭାପତି ପ୍ରେମ ବିଶି, ସୁରେଶ ଭୋଇ ପ୍ରମୁଖଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here