ଗଞ୍ଜେଇ ଚୋରା ଚାଲାଣ କାରବାରର ପର୍ଦ୍ଦାଫାଶ :କପଡା ବ୍ୟବସାୟୀ ଓ ଶିକ୍ଷକଙ୍କ ସଂପୃକ୍ତି, ୬ ଗିରଫ

0
62

ଟିଟିଲାଗଡ଼,୨୬/୦୭ (ଜେଏନ୍ଏସ୍) : ଟିଟିଲାଗଡ଼ ପୁଲିସ ଗଞ୍ଜେଇ ଚୋରା ଚାଲାଣ କାରବାର ର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି । ଏହାକୁ ନେଇ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ରିଷିକେଶ ଖିଲାରୀ ସୂଚନା ଦେଇଛନ୍ତି । ସୂଚନା ମତେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ନିୟମିତ ଭାବରେ ଗଞ୍ଜେଇ ଟିଟିଲାଗଡ଼, କଣ୍ଟାବାଞ୍ଜି ଦେଇ ରାୟପୁର ଅଞ୍ଚଳକୁ ଚାଲାଣ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା । କପଡା ବୋଝେଇ ପିକଅପ୍ ଗାଡ଼ି ଡାଲାରେ ସ୍ଵତନ୍ତ୍ର ଚେମ୍ବର୍ ତିଆରି କରାଯାଇ ଏହା ମଧ୍ୟରେ ଗଞ୍ଜେଇ ଚାଲାଣ ହୋଇଆସୁଥିଲା । ବଲାଙ୍ଗିର ଏସପିଙ୍କ ନିର୍ଦେଶ କ୍ରମେ ଟିଟିଲାଗଡ଼, ବଙ୍ଗୋମୁଣ୍ଡା ଓ କଣ୍ଟାବାଞ୍ଜି ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଟିଟିଲାଗଡ଼ ପୁଲିସ ଟିମ୍ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଏକ ପିକ୍ଅପ କୁ ଥାନା ସମ୍ମୁଖରୁ ଜବତ କରିଥିଲା । ସେହିପରି କଣ୍ଟାବାଞ୍ଜି ପୁଲିସ ଗଞ୍ଜେଇ ଚାଲାଣ ହେଉଥିବା ଏକ ବୋଲେରୋ ଗାଡ଼ିକୁ ଜବତ କରିଥିଲା ।

ଉଭୟ ଗାଡ଼ିରୁ ପୁଲିସ ସମୁଦାୟ ୩ କ୍ଵିଣ୍ଟାଲ ୩୭ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ଏହି ଜରବର୍ଭରେ ସଂପୃକ୍ତ ବାଲିଗୁଡା ଥାନା ଗୁଳିମରା ଗ୍ରାମର ପ୍ରଭାତ ମୁନି, ମୁଠାବାଲି ଗ୍ରାମର ଶୁଭନାଥ ମହାନନ୍ଦ, ପୂର୍ଣ୍ଣ ବେସରା, ଲନ୍ଦାଗ୍ରାମର ଶିକ୍ଷକ ପ୍ରଶାନ୍ତ ନାଏକ, ଘୋଡାବାଲି ଗ୍ରାମର ରାଜୁ ରଣା, ବଙ୍ଗୋମୁଣ୍ଡା ଥାନା ବେଲପଡା ଗ୍ରାମର କପଡା ବ୍ୟବସାୟୀ ବୁଦ୍ଧି ସାଗର ମେହେରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ଦୁଇଟି ଗାଡି, ୬ଟି ମୋବାଇଲ ଫୋନ, ୯୦୦ ଟଙ୍କା ମଧ୍ୟ ଜବତ ହୋଇଛି । କନ୍ଧମାଳ ଜିଲା ବାଲିଗୁଡାରୁ ବେଲଗାଁ ଓ ଟିଟିଲାଗଡ଼ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ପୁଲିସ ସଜାଗ ହୋଇଥିଲା ଏବଂ ସ୍ଵତନ୍ତ୍ର ଟିମ୍ ର ପରିଶ୍ରମ ଯୋଗୁଁ ଏହି ସଫଳତା ମିଳିଥିବା ଏସପି ଶ୍ରୀ ଖିଲାରୀ କହିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍.ପି ଶ୍ରୀ ଖିଲାରିଙ୍କ ସହ ଟିଟିଲାଗଡ଼ ଥାନା ଅଧିକାରୀ ଅବନୀ ସାହୁ, ସବ୍ଇନ୍ସପେକ୍ଟର କିରଣ ଜାନି, ଦେବାଶିଷ ଶତପଥି, କଣ୍ଟାବାଞ୍ଜି ଥାନା ଅଧିକାରୀ, ସବ୍ଇନ୍ସପେକ୍ଟର ଅଭିନାଶ ନାଏକ, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଞ୍ଜୀବ ପ୍ରଧାନ,ସାଇବର ଥାନା ଏସ୍.ଆଇ ହେମନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here